ବାରିପଦା: ଝାଡଖଣ୍ଡ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଓଡିଶାରୁ ଅଲଗା ହୋଇ ବିଚ୍ଛିନ୍ନାଞ୍ଚଳ ଭାବରେ ରହିଥିବା ଓଡିଆ ଭାଷାଭାଷୀ ଷଢେଇକଳା, ଖରସୁଆଁ, ପୂର୍ବସିଂହଭୂମ ଓ ପଶ୍ଚିମସିଂହଭୂମ ଅଧିବାସୀଙ୍କ ପାଇଁ ଓଡିଆ ଭାଷାରେ ପାଠ୍ୟକ୍ରମ ପ୍ରଚଳନର ବେଶ ଆବଶ୍ୟକତା ରହିଛି। ଓଡିଆ ଭାଷା ଉଚ୍ଛେଦ ଓ ଅବହେଳା ପ୍ରସଙ୍ଗ ନେଇ ବିଚ୍ଛିନ୍ନାଞ୍ଚଳରେ ଲାଗି ରହିଥିବା ଧାରଣା, ଅନଶନ ସମାବେଶ ଇତ୍ୟାଦି ପାଇଁ ସଂଲଗ୍ନ ଓଡିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲା ଅଧିବାସୀଙ୍କ ମନରେ ମଧ୍ୟ କ୍ଷୋଭ ଓ ଅଶାନ୍ତି ଦେଖାଯାଇଛି ।
ତେବେ ଝାଡଖଣ୍ଡ ରାଜ୍ୟରେ ରହିଥିବା ଏହି ଓଡିଆ ଭାଷାଭାଷୀ ଅଞ୍ଚଳ ଗୁଡିକରେ ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଜିଲ୍ଲାର ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡିଆ ଜାଗରଣ ମଞ୍ଚ, ମୟୂରଭଞ୍ଜ ସାହିତ୍ୟ ପରିଷଦ, ପ୍ରତିଶୃତି ପ୍ରତିଷ୍ଠାନ, ନନ୍ଦିଘୋଷ ସାହିତ୍ୟ ସମାଜ, ଉପାନ୍ତ ସାହିତ୍ୟ ସଂସଦ, ଗୋପବନ୍ଧୁ ସାହିତ୍ୟ ପରିଷଦ, ମୟୂର ସାହିତ୍ୟ ସଂସଦ ବେତନଟୀ, ଚିତ୍ରେଶ୍ବରୀ ସାହିତ୍ୟ ସଂସଦ ଚିତ୍ରଡା, ବାରିପଦା ସମ୍ବାଦ ସାହିତ୍ୟ ଘର, ବାଣୀପୀଠ ବଡସାହି, ବନସାଥୀ ଉଦଳା, ବଳାଙ୍ଗୀ ସେନା ପ୍ରମୁଖ ବହୁ ଅନୁଷ୍ଠାନ ପକ୍ଷରୁ ଭାଷାଭିତ୍ତିକ ସଂଗ୍ରାମ ପାଇଁ ସଂଙ୍କଳ୍ପ ବଦ୍ଧ ହୋଇ ଝାଡଖଣ୍ଡ ସରକାରଙ୍କ ଓଡିଆ ଭାଷା ଜନନୀ ପ୍ରତି ଏଭଳି ଅସମ୍ମାନକୁ ଦୃଢ ପ୍ରତିବାଦ କରିଛନ୍ତି ।
ଆଜି ବାରିପଦାର ଅମ୍ବିକା ମନ୍ଦିର ନିକଟରୁ ଓଡିଆ ଭାଷା ପ୍ରେମୀ ସାହିତ୍ୟିକ, ବୁଦ୍ଧିଜୀବୀ ମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର, କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ ଛକ, ବିଜୁ ଗୋଲେଇ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ବିକ୍ଷୋଭ ପ୍ରଦର୍ଶର୍ନ କରିଥିଲେ।
ଝାଡଖଣ୍ଡ ଓ ଓଡିଶା ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା ମାଧ୍ୟମରେ ବିଛିନ୍ନଞ୍ଚଳରେ ଓଡିଆ ଭାଷାର ସୁରକ୍ଷା ସହ ଛାତ୍ରଛାତ୍ରୀଙ୍କୁ ଓଡିଆ ପଢିବା ନିମନ୍ତେ ପାଠ୍ୟକ୍ରମର ସମସ୍ତ ସୁବନ୍ଦୋବସ୍ତ କରିବା ପାଇଁ ଦାବି କିରଛନ୍ତି । ଏହା ସହ ମୟୂରଭଞ୍ଜ ଅଧିବାସୀଙ୍କ ତରଫରୁ ଏହି ଭାଷା ଆନ୍ଦୋଳନକୁ ଆଗକୁ ଆହୁରି ବ୍ୟାପକ କରାଯାଇ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା ଅନୁଷ୍ଠାନ ସମୁହ ତରଫରୁ ଘୋଷଣା କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ