ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଡ଼ି ଗାଁର ଜାମୁଡ଼ି ସାହିରେ ଥିବା ବନମାଳୀ ଦଳେଇଙ୍କ ଘରୁ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଚୋରି ହୋଇଛି । ଘରୁ ପ୍ରାୟ ୭ରୁ ୮ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବନମାଳୀ ଦଳେଇ ନିଜ ପରିବାର ସହ ଖାଇ ପିଇ ଶୋଇଥିଲେ । ରାତି ପ୍ରାୟ ଅଢେଇରୁ ତିନିଟା ମଧ୍ୟରେ ବନମାଳୀ ଦଳେଇଙ୍କ ସ୍ତ୍ରୀ ବାହାରକୁ ବାହାରି ଅନ୍ୟ ରୁମର କବାଟରେ ତାଲା ଭଙ୍ଗାଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକଙ୍କୁ ଡାକି ଦେଖିଲା ବେଳକୁ ସମସ୍ତ ଗହଣା ଲୁଟ ହେବା ସହ ଆସବାବପତ୍ର ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରିଥିଲେ । ତେବେ ଅଞ୍ଚଳରେ ବାରମ୍ବାର ଚୋରି ଲୁଟ ଆଦି ଘଟଣା ବୃଦ୍ଧି ପାଉଥିବା ବେଳେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଏପରି ଘଟଣା ଘଟୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ