ରାଇରଙ୍ଗପୁର: ଆନ୍ଧ୍ର-ଓଡିଶା ସୀମା ବିବାଦ ପରେ ଏବେ ସାମ୍ନାକୁ ଆସିଛି ଝାଡଖଣ୍ଡ-ଓଡିଶା ସୀମା ବିବାଦ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ଡେଣୁଆ ଗାଁରେ ଦେଖାଦେଇଛି ଏହି ବିବାଦ । ରରୁଆଁରୁ ଘାଘରବେଡା ନୂତନ ରାସ୍ତାକୁ ଝାଡଖଣ୍ଡ ବାସିନ୍ଦା ବିରୋଧ କରିବା ପରେ ବିବାଦ ସାମ୍ନାକୁ ଆସିଛି । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳକୁ ଯିବା ସହ ସେଠାକାର ଅଧିବାସୀଙ୍କ ସହିତ ଏବାବଦରେ ଆଲୋଚନା କରିଛନ୍ତି । ଏହା ସହ ଏନେଇ ରାଜ୍ୟର ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସେ ଟାର୍ଗେଟ କରିଛନ୍ତି । ଯେଉଁ ଲୋକ ଦିନେ ଓଡିଶାର କିଛି ଅଞ୍ଚଳକୁ ନେଇ ବୃହତ ଝାଡଖଣ୍ଡ ରାଜ୍ୟର ସ୍ବପ୍ନ ଦେଖୁଥିଲା, ସେ ଆଜି ରାଜ୍ୟର ରାଜସ୍ବ ମନ୍ତ୍ରୀ ହୋଇଛନ୍ତି । ତେବେ ଏହା ଚକ୍ରାନ୍ତ ହୋଇପାରେ ଓ ଆଗାମୀ ଦିନର ଯୋଜନା ପାଇଁ ମୂଳଦୁଆ ପକାଇବା ପାଇଁ ହୋଇପାରେ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଜେପି ବିଧାୟକ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ମଧ୍ୟ ଏହି ଗାଁକୁ ଆସି ଉଭୟ ପକ୍ଷର ଲେକମାନଙ୍କ ସହିତ ଆଲୋଚନା କରିଛନ୍ତି ।
ତେବେ ଆସନ୍ତୁ ନଜର ପକାଇବା କାହିଁକି ଏହି ବାବଦ ଦେଖାଦେଇଛି । କଣ ରହିଛି ଏହା ପଛର କାରଣ ।
ମୟୂରଭଞ୍ଜ ଜିଲ୍ଲା ଏକ ସ୍ବତନ୍ତ୍ର ଗଡଜାତ ରାଜ୍ୟ ଥିଲା । ଦେଶ ସ୍ବାଧୀନତା ପରେ ସରକାର ଯେତେବେଳେ ରାଜ୍ୟ ଗଠନ କଲେ ସେତେବେଳେ ଗୋଟିଏ ଗାଁକୁ ଦୁଇ ଭାଗରେ ବିଭକ୍ତ କରିଦେଲେ । ଗୋଟିଏ ଗାଁର ଲୋକମାନେ ଦୁଇଟି ରାଜ୍ୟର ଅଧିବାସୀ ହୋଇଗଲେ । ପ୍ରଥମେ ବିହାର ପରବର୍ତ୍ତୀ ସମୟରେ ଝାଡଖଣ୍ଡ ରାଜ୍ୟରେ ସାମିଲ ହେଲେ । ଏମିତି ଏକ ଗାଁ ହେଉଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ଡେଣୁଆ ଗାଁ ।
ଏଠାରେ ଥିବା ରାସ୍ତାଟି ହେଉଛି ଓଡିଶା ଓ ଝାଡଖଣ୍ଡ ରାଜ୍ୟର ସୀମା । ରାସ୍ତା ଏପଟେ ରହିଛି ଓଡିଶା ଏବଂ ରାସ୍ତା ସେପଟେ ଝାଡଖଣ୍ଡ । ଓଡିଶାରେ ଥିବା ଗାଁର ନାମ ହେଉଛି ଡେଣୁଆ ଓ ଝାଡ଼ଖଣ୍ଡ ଗାଁର ନାମ ହେଉଛି ବାଳିବନ୍ଧ । ଓଡିଶା ପଟେ 23ଟି ପରିବାର ରହୁଥିବା ବେଳେ ଝାଡଖଣ୍ଡ ପଟେ 32 ଟି ପରିବାର ରହୁଛନ୍ତି ।
ଫଳରେ ଗୋଟିଏ ସ୍ଥାନରେ ଗୋଟିଏ ଜାତିର ଲୋକ ରହୁଥିବାବେଳେ ସରକାରୀ ଯୋଜନା ଅଲଗା ଅଲଗା ମିଳୁଛି । ଝାଡଖଣ୍ଡରେ ବିଧବା, ବାର୍ଦ୍ଧକ୍ୟ ଭତ୍ତା ଏକ ହଜାର ଟଙ୍କା ଥିବାବେଳେ ଓଡିଶାରେ 500 ଟଙ୍କା । ଝାଡଖଣ୍ଡରେ ବିଦ୍ୟୁତ ବିଲ 42 ଟଙ୍କା ଆସୁଥିବା ବେଳେ ଓଡିଶାରେ ନ କହିବା ଭଲ ।
ସେପଟେ ଓଡିଶାର ଲୋକଙ୍କ ଝାଡଖଣ୍ଡରେ ଚାଷ ଜମି ଥିବା ବେଳେ ଝାଡଖଣ୍ଡ ଲୋକଙ୍କ ଓଡିଶାରେ ମଧ୍ୟ ଚାଷ ଜମି ଅଛି । ତେବେ ଏବେ ରରୁଆଁରୁ ଘାଘରବେଡା ନୂତନ ରାସ୍ତାକୁ ବିରୋଧ କରୁଛନ୍ତି ଝାଡଖଣ୍ଡ ବାସିନ୍ଦା । ପୂର୍ବରୁ ଓଡିଶା ନିର୍ମାଣ କରିଥିବା ରାସ୍ତାକୁ ଏବେ ଝାଡ଼ଖଣ୍ଡ ରାଜ୍ୟର ବୋଲି କହୁଛନ୍ତି ଏମାନେ । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ