ରାଇରଙ୍ଗପୁର: ଚୋରା କାଠ ଚାଲାଣ ବେଳେ ବନ ବିଭାଗର ଚଢାଉ । ଡ୍ରାଇଭର ଫେରାର୍ ହୋଇଯାଇ ଥିବାବେଳେ ଚୋରା କାଠ ଜବତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଶନିବାର ରାତିରେ କିଛି ଦୁର୍ବୃତ୍ତ କାର ଯୋଗେ ଚୋରା କାଠ ଚାଲାଣ କରୁଥିଲେ । ଏନେଇ ଖବର ପାଇ ଠାକୁରମୁଣ୍ଡା ଓ କରଞ୍ଜିଆ ରେଞ୍ଜ କର୍ମଚାରୀ ମାନେ ମିଳିତ ଚଢ଼ାଉ କରିଥିବା ସୂଚନା ମିଳିଛି ।
ବନ କର୍ମଚାରୀଙ୍କୁ ଦେଖି କାଠ ବୋଝେଇ କାର ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରିବାରୁ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କାର ଚକକୁ 2 ରାଉଣ୍ଡ ଗୁଳି କରିଥିଲେ । ଗୁଳି ନ ବାଜିବାରୁ କାରଟି କରଞ୍ଜିଆକୁ ଦୃତ ଗତିରେ ଖସି ଯିବାରୁ ଠାକୁରମୁଣ୍ଡା ବନ କର୍ମଚାରୀ ମାନେ କରଞ୍ଜିଆ ବନବିଭାଗର ସହାୟତା ନେଇଥିଲେ । ଉଭୟ ରେଞ୍ଜ କର୍ମଚାରୀଙ୍କୁ ଦେଖି ଡ୍ରାଇଭର କାର ଛାଡ଼ି ଖସି ପଳାଇ ଯାଇଥିଲେ । ପରେ ବନ ବିଭାଗ କର୍ମଚାରୀ ୧୫ ଖଣ୍ଡ ଶାଳ କାଠ ଚୌକାଠ ସହ କାରକୁ ଠାକୁରମୁଣ୍ଡା ବନବିଭାଗ ଜବତ କରି କେଶ ନମ୍ବର ୨୧ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଏହି ଚଢ଼ାଉରେ ଠାକୁରମୁଣ୍ଡା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ, କରଞ୍ଜିଆ ରେଞ୍ଜର ପ୍ରବୀର କୁମାର ମୁର୍ମୁଙ୍କ ସମେତ ବନ କର୍ମଚାରୀମାନେ ସାମିଲ ଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ