ବାରିପଦା: ଦାରିଦ୍ର୍ୟର ତାଡନା ଯେ କେତେ ଯନ୍ତ୍ରଣାଦାୟକ ତାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ପ୍ରସବ ପରେ ମେଡିକାଲରେ ସ୍ତ୍ରୀର ମୃତ୍ୟୁ ହେବା ପରେ ମୃତଦେହକୁ ସଂପର୍କୀୟଙ୍କ ଘରେ ଦାହ ସଂସ୍କାର କରିବାକୁ ଚାହିଁଲେ ସ୍ଵାମୀ । ହେଲେ ସଂପର୍କୀୟ ମାନେ ମନା କରିବାରୁ ଶେଷରେ ଏକ ଟ୍ରଲି ଯୋଗେ ପ୍ରାୟ 15 କିଲୋମିଟର ବାଟ ସ୍ତ୍ରୀର ମୃତଦେହକୁ ଧରି ଗାଁକୁ ନେଲେ ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ।
କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମର ଖେଲା ସୋରେନ୍ ତାଙ୍କ ସ୍ତ୍ରୀ ରାଇମାତ ସୋରେନଙ୍କ ପ୍ରସବ ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ରବିବାର ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ରାଇମାତଙ୍କର ମୃତ୍ୟୁ ହୋଇଥିଲା। ପୁଅକୁ ଡାକ୍ତରଖାନାରେ ଡାକ୍ତରଙ୍କ ହେପାଜତରେ ଛାଡି ସ୍ତ୍ରୀର ମୃତଦେହକୁ ସ୍ଵର୍ଗରଥରେ ନେଇ ଉଦଳା ଥାନା ଉର୍ମଳ ଗ୍ରାମ ସ୍ଥିତ ସଂପର୍କୀୟ ଘରକୁ ଆସିଲେ ଖେଲା । ହେଲେ ସଂପର୍କୀୟ ଘର ଲୋକେ ରାଇମାତର ମୃତଦେହକୁ ଦାହ କରିବାକୁ ମନା କରିଥିଲେ ।
ଏହା ପରେ ସ୍ତ୍ରୀର ମୃତଦେହକୁ ଗାଁକୁ ନେବାକୁ ଚାହିଁଥିଲେ ଖେଲା । କିନ୍ତୁ ପାଖରେ ଟଙ୍କା ନଥିବାରୁ ଏକ ଟ୍ରଲି ସାହାଯ୍ୟରେ ମୃତଦେହକୁ ବୋହି ବୋହି କପ୍ତିପଦା ଥାନା ସାନଜୁନୁପାଳ ଗାଁକୁ ଯାଉଥିଲେ । ତେବେ ଉର୍ମଳ ଗାଁରୁ 3 କିଲୋମିଟର ଯିବା ପରେ ରାସ୍ତାପାର୍ଶ୍ବ ନବର ଜଙ୍ଗଲରେ ମୃତଦେହକୁ ପୋତିଦେବାକୁ ଚାହିଁଥିଲା ଖେଲା । ତେବେ ସେଠାରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପୁଣି ମୃତଦେହକୁ ଟ୍ରଲିରେ ଧରି ନିଜ ଗାଁକୁ ଯିବା ବାଟରେ ଖେଲାକୁ ଅଟକାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ