ବାରିପଦା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନାଅନୁଯାୟୀ ସୋମବାର କୌଣସି କାରଣବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳର ସ୍ବାମୀ ମଙ୍ଗଲୁ କଟୁଆଳ ସହିତ ବଚସା ହୋଇଥିଲା। ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି।
ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥିଲା। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବା ଜଣାପଡ଼ିଛି।
ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ମୋରଡ଼ା ତହସିଲଦାର , ମୋରଡ଼ା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛନ୍ତି। ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ