ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ଆଜି ଦ୍ବିତୀୟ ଦିନରେ ମେଘୁଆ ପାଗ ସହ ଝିପିଝିପି ବର୍ଷାରେ ବେଶ୍ ଆଡମ୍ବର ସହକାରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇରଙ୍ଗପୁର ସହର । ଶୁକ୍ରବାର ଅଧା ରାସ୍ତା ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟ ପୂଜକ ଆଜି ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ଦିନସାରା ରଥ ଉପରେ ଶ୍ରଦ୍ଧାଳୁ ମାନେ ଭକ୍ତିଭାବ ସହ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ ।
ସନ୍ଧ୍ୟା 5ଟାରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ଦ୍ବିତୀୟ ଦିନରେ ମହିଳା ଭକ୍ତମାନେ ରଥ ଟାଣି ନିଜକୁ ଧନ୍ୟ ମଣିଥିଲେ। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ବିଶ୍ୱାସ ରହିଛି ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ରଥ ଟାଣିଲେ ପୂର୍ବଜନ୍ମ ତଥା ଏହି ଜନ୍ମର ସମସ୍ତ ପାପ କ୍ଷୟ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଘୋଷଯାତ୍ରାରେ ମହିଳାମାନେ ରଥକୁ ଟାଣି ନେଇ ମାଉସୀ ମା' ମନ୍ଦିର ନିକଟରେ ପହଞ୍ଚାଇଥିଲେ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମହାପ୍ରଭୁଙ୍କ ରଥ ଟାଣିବାକୁ ଏବଂ ଦିବ୍ୟ ଦର୍ଶନ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ