ବାରିପଦା: ଆଧୁନିକ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ରୋଗରୁ ନିରାକରଣ ପାଇଁ କୋମଳମତି ଶିଶୁଙ୍କ ପେଟରେ ଦିଆଯାଉଛି ଚେଙ୍କ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟିକରପଡା ଗ୍ରାମରେ । ଶିଶୁକନ୍ୟା ଜନ୍ମ ହେବାର ମାତ୍ର ଏକ ମାସ ହୋଇଛି । ମାତ୍ର ଭବିଷ୍ୟତରେ ଶିଶୁକନ୍ୟାର ପେଟ ରୋଗ ହେବ ନାହିଁ କହି ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଛି ।
ଖୁଣ୍ଟା ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ମୋଚିରାମ ମୁର୍ମୁଙ୍କ ଏକ ମାସର ଶିଶୁକନ୍ୟା ପେଟରେ କିଛି କଳାଦାଗ ରହିଥିଲା । ଏହି କଳାଦାଗକୁ ଦୂର କରିବା ଓ ଭବିଷ୍ୟତରେ ଶିଶୁକନ୍ୟାଟିର କୌଣସି ପେଟରୋଗ ନହେବା ପାଇଁ ପେଟରେ ତିନିଟି ଚେଙ୍କ ଦିଆଯାଇଛି । ଏବେ ଶିଶୁ କନ୍ୟାକୁ ଥଣ୍ଡା ଜ୍ୱର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା ।
ତେବେ ଶିଶୁକନ୍ୟାକୁ ପ୍ରାୟ ଦଶ ଦିନ ପୂର୍ବରୁ ଚେଙ୍କ ଦିଆଯାଇଥିବା କହିଛନ୍ତି ଶିଶୁକନ୍ୟାର ମା' । କେବଳ ତାଙ୍କର ଝିଅ ନୁହଁନ୍ତି ବରଂ ଗ୍ରାମରେ ଅନେକ ଛୋଟ ଶିଶୁଙ୍କୁ ଚେଙ୍କ ଦିଆଯାଏ ବୋଲି ସ୍ୱୀକାର କରିଛନ୍ତି ମୋଚିରାମ । ତେବେ ବାରମ୍ୱାର ଏଭଳି ଘଟଣାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ, ଏନେଇ କୌଣସି ପଦକ୍ଷେପ ନିଆଯାଉନଥିବା ବୃଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।
ଅନ୍ୟପଟେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଥିବା କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ ପତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ