ବାରିପଦା: ଆଦିମ ଜନଜାତି ଲୋଧା ଖଡିଆଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ତଥାପି ପ୍ରକୃତ ହିତାଧିକାରୀ ଯୋଜନାର ଲାଭ ଉଠାଇପାରୁନାହାନ୍ତି । ଏମିତି କିଛି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବଡଜାମବଣି ଗାଁରେ ରହୁଥିବା ଖଡିଆ ସମ୍ପ୍ରଦାୟର ସୁଗୁନି ଦେହୁରୀଙ୍କ କ୍ଷେତ୍ରରେ । ବୟସର ଅପରାହ୍ନରେ ଉପନୀତ ବୃଦ୍ଧା ଜଣଙ୍କ ବେଶ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି । ତାଙ୍କ ଦୁଇ ଗୋଡରେ ଘା', ତା' ଉପରେ ଅସଂଖ୍ୟ ପୋକ ଏବଂ ତାଙ୍କ ଗୋଡରୁ ବାହାରୁଥିବା ଦୁର୍ଗନ୍ଧ ତାଙ୍କ ଦୁର୍ଦ୍ଦଶାର ଚିତ୍ରକୁ ସ୍ପଷ୍ଟ ବୟାନ କରୁଛି ।
ବୃଦ୍ଧା ସୁଗୁନିଙ୍କ ସ୍ବାମୀ ଓ ପୁଅ ଆରପାରିକୁ ଚାଲିଯାଇଥିବା ବେଳେ ବିଧବା ବୋହୁ ହିଁ ପରିବାର ଚଳାଉଛି । ସେ ଉପାର୍ଜନ କରୁଥିବା ଅର୍ଥରେ ତାଙ୍କର ସେହି ଘା'କୁ ଠିକ୍ କରିବା ସମ୍ଭବପର ନୁହେଁ । ଫଳରେ ଦୀର୍ଘ 2 ମାସ ହେବ ଏମିତି ପୋକ ସାଲୁବାଲୁ ଗୋଡକୁ ନେଇ ଯନ୍ତ୍ରଣାରେ କଲବଲ ହେଉଛନ୍ତି ସୁଗୁନି । ଏଭଳି ସ୍ଥିତିରେ ତାଙ୍କୁ ଏଯାବତ୍ କୌଣସି ସରକାରୀ ସହାୟତା ମିଳିନଥିବା କୁହନ୍ତି ପଡୋଶୀ ।
ଆଦିମ ଜନଜାତିଙ୍କ ପାଇଁ ସରକାରୀ ଯୋଜନା ବ୍ୟତୀତ ଅନେକ ଏନଜିଓ ସଂସ୍ଥା ଜିଲ୍ଲାରେ କାମ କରୁଛନ୍ତି । ତେବେ ଦୀର୍ଘ ଦିନ ଧରି ନିଜ ଘା' ଗୋଡକୁ ଧରି ଯନ୍ତ୍ରଣାରେ ଛଟପଟ ବୃଦ୍ଧାଙ୍କ ଉପରେ ଏଯାବତ୍ ନା ସରକାର ନା କୌଣସି ଏନଜିଓ ସଂସ୍ଥାର ନଜର ପଡିଛି । ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ମେମ୍ବର । ସେପଟେ ବୃଦ୍ଧା ସୁଗୁନିଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆମ ପ୍ରତିନିଧି ମୋରଡ଼ା ବ୍ଲକ ବିଡ଼ିଓ ଏବଂ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କୁ ଭେଟିଥିଲେ । ଉଭୟ ଅଧିକାରୀ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିନଥିଲେ ବି ଆମ ପାଖରୁ ଖବର ପାଇ ତୁରନ୍ତ ବୃଦ୍ଧା ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଆଦିମ ଜନଜାତିଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଖଡ଼ିଆ ସମ୍ପ୍ରଦାୟର ଅସହାୟ ବୃଦ୍ଧା ସୁଗୁନି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁଃଖର ବିଷୟ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ