ବାରିପଦା: ଦେହରେ ନାହିଁ ବଳ ,ଧୁଡୁକି ଗଲାଣୀ ଚମ । ହେଲେ ବଞ୍ଚିବା ପାଇଁ କରି ଚାଲିଛନ୍ତି ସଂଘର୍ଷ । ପଲିଥିନ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ଆହା ପଦେ କହିବାକୁ ପାଖରେ ବି କେହି ନାହିଁ । ଦୁଇ ଝିଅ ଗୋଟିଏ ପୁଅ ବି ଅଛନ୍ତି ,ହେଲେ ପଚାରୁ ନାହାଁନ୍ତି । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ସନ୍ୟାସୀ ଗାଁର ଲୁଇକା ଓ କୁନିମଣିଙ୍କ କଥା । ଦୀର୍ଘ ବର୍ଷ ହେବ ସେମାନଙ୍କ ଘର ଭାଙ୍ଗି ଯାଇଛି । ପାଖରେ ସମ୍ବଳ ନ ଥିବାରୁ ପଲିଥିନ ଟାଣି ରହୁଛନ୍ତି । ସମସ୍ତ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଖୋଲା ଆକାଶ ତଳେ ମଧ୍ୟ ରାନ୍ଧିବାଡି ଖାଉଛନ୍ତି । ଦେହରେ ବଳ ନ ଥିବାରୁ ସ୍ବାମୀଙ୍କ ସାହାରାରେ ବାଟ ଚାଲୁଛନ୍ତି ବୃଦ୍ଧା। ସ୍ବାମୀ ରୋଷେଇ କରିଦେଲେ ଦୁଇଗୁଣ୍ଡା ଖାଉଛନ୍ତି ।
ଦମ୍ପତିଙ୍କର ଏଭଳି ଦୟନୀୟ ସ୍ଥିତି ଦେଖି ପକ୍କା ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକକୁ ଅଭିଯୋଗ କରିଥିଲେ ଗ୍ରାମବାସୀ। ହେଲେ ଏଯାଏଁ ଘର ମିଳି ନ ଥିବା ଅଭିଯୋଗ ହୋଇଛି । ସେପଟେ,ଗଣମାଧ୍ୟମ ଦ୍ବାରା ଅସହାୟ ଦମ୍ପତିଙ୍କର କରୁଣ କାହାଣୀ ଜାଣିବା ପରେ ଚେଇଁ ଉଠିଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ରାଜ୍ୟ କୃଷି ନିଗମ ଅଧକ୍ଷ ଗାଁରେ ପହଞ୍ଚି ଥିଲେ । ଆଉ ଦମ୍ପତିଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ବୃଦ୍ଧାଶ୍ରମକୁ ପଠାଇ ଥିଲେ । ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଏଇ ଆଦିବାସୀ ବୃଦ୍ଧ ଦମ୍ପତି ଏବେ ବୃଦ୍ଧାଶ୍ରମରେ । ତେବେ ଦେଖିବାକୁ ବାକି ରହିଲେ କେବେ ଏ ଦମ୍ପତିଙ୍କୁ ପକ୍କା ଘର ଯୋଗାଉଛି ପ୍ରଶାସନ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ