ରାଇରଙ୍ଗପୁର/ ବାରିପଦା : ସ୍ତ୍ରୀର କୁରାଢୀ ଚୋଟରେ ସ୍ୱାମୀ ମୃତ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଣୀଭୋଳ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ହାତୀଗୋଡା ଗ୍ରାମପଞ୍ଚାୟତ ଅଧିନ ରାଣୀଭୋଳ ଗ୍ରାମର ଅନନ୍ତ ଗୋପ ଓ ତାଙ୍କର ସ୍ତ୍ରୀ ମସୁରୀ ସୋୟ ରାସନ ଚାଉଳ ନେବାକୁ ହାତୀଗୋଡା ପଞ୍ଚାୟତକୁ ଆସିଥିଲେ। ଘରକୁ ଫେରିବା ପରେ ସ୍ବାମୀ ଅନନ୍ତ ହାଣ୍ଡିଆ ପିଇବାକୁ ସ୍ତ୍ରୀକୁ ପଇସା ମାଗିଥିଲେ। ଏହି ଘଟଣାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା।
ପ୍ରାୟ ଅଧିକାଂଶ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବାରୁ ପାଖ ପଡୋଶୀ କେହି ଏ ଝଗଡାକୁ ଗୁରୁତ୍ୱ ଦେଇ ନଥିଲେ। ସ୍ୱାମୀ ସ୍ତ୍ରୀଙ୍କ ଝଗଡା ମଧ୍ୟରେ ସ୍ତ୍ରୀ ଘର ଭିତରେ ଥିବା ଏକ କୁରାଢ଼ୀକୁ ନେଇ ସ୍ୱାମୀକୁ ଆକ୍ରମଣ କରିଥିଲା। କୁରାଢ଼ୀ ଆକ୍ରମଣରେ ଘଟଣାସ୍ଥଳରେ ଅନନ୍ତର ମୃତ୍ୟୁ ଘଟିଯାଇଥିଲା। ଏ ନେଇ ଗ୍ରାମର ୱାର୍ଡ ସଭ୍ୟ ଥାନାରେ ଜଣାଇବା ପରେ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଡ଼କାଯାଇଥିଲେ। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ୀକୁ ପୋଲିସ ଜବତ କରିବା ସହ ସ୍ତ୍ରୀ ମସୁରୀ ସୋୟକୁ ଗିରଫ କରିଛି ।
ସେପଟେ, ଜିଲ୍ଲାର ବେତନଟି ଥାନା ଜଗନ୍ନାଥପୁର ଗାଁରେ ଜଣେ 8ମାସର ଗର୍ଭବତୀ ସ୍ତ୍ରୀକୁ ପିଶାଚ ସ୍ୱାମୀ କୁରାଢ଼ୀରେ ହାଣି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ସେହି ଗାଁର 35ବର୍ଷୀୟ ମାଖନ ପୂର୍ତ୍ତିର ସ୍ତ୍ରୀ ମଙ୍ଗୁଳି(28) l
ସୂଚନା ମୁତାବକ କୌଣସି ଘଟଣାକୁ ନେଇ ଉତ୍ତ୍ୟକ୍ତ ମାଖନ ଘରେ ଥିବା ଏକ ଧାରୁଆ କୁରାଢ଼ୀରେ ଗର୍ଭବତୀ ସ୍ତ୍ରୀ ମଙ୍ଗୁଳୀକୁ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ମଙ୍ଗୁଳୀର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ମାଖନ ଫେରାର ହୋଇଯାଇଛି l ଖବର ପାଇ ବେତନଟି ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ହତ୍ୟାକାଣ୍ଡ ସ୍ଥାନରେ ପହଞ୍ଚିଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ କରିଛି ବେତନଟି ପୋଲିସ l
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ