ମୟୁରଭଞ୍ଜ: ଜୋର ଧରିଲା ବେତନଟୀ ପୂର୍ବତନ ତହସିଲଦାର ତଥା ନିଲମ୍ବିତ କଳାହାଣ୍ଡି ଡେପୁଟି କଲେକ୍ଟର ଅନିଶା ଦାସଙ୍କ ଗିରଫଦାବି ।
ଚର୍ଚ୍ଚିତ ତହସିଲଦାର ଅନିଶା ଦାସଙ୍କୁ ଗିରଫ ଦାବିରେ ବିଜେପିର ବୈଶିଙ୍ଗା ଥାନାରେ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ତହସିଲଦାର ଅନିଶା ଦାସ ଏବଂ ମରୋମ ମାଫିଆ ଘଟଣା ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାରେ ବିଷୟ ରହିଛି ।
ବିଜେପିର ବାରିପଦା, ସାରସକଣା, ବଡ଼ସାହି ବିଧାୟକ, ଏବଂ ଜିଲ୍ଲା ସଭାପତିଙ୍କ ସହ ବିଜେପି ମୟୁରଭଞ୍ଜ ସାଂସଦ ବିଶ୍ବେଶ୍ଵର ଟୁଡୁ ଧାରଣାରେ ସାମିଲ ହୋଇଛନ୍ତି । ଚୋରା ଲଘୁଖଣିଜ ପଦାର୍ଥରେ ବେତନଟୀ ପୂର୍ବତନ ତହସିଲଦାରଙ୍କ ଗିରଫ ଦାବି ସହ ସମ୍ପୃକ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ବିଜେପି ।
ଗତ ଜୁଲାଇ ୨୦ରେ ବୈଶିଙ୍ଗା ଥାନାରେ ବେତନଟୀ ପୂର୍ବତନ ତହସିଲଦାର ଅନିଶା ଦାସ ଓ ଏକ ମୋରୋମ ଗାଡିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକ ଅଡିଓରେ ତହସିଲଦାର ଅନିଶା ଦାସ ତାଙ୍କ ଦଲାଲଙ୍କ ଜରିଆରେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଘଟଣା ସାମ୍ନାକୁ ଆସିଥିଲା । ପରେ ଉଭୟ ଟ୍ରକ ମାଲିକ ଏବଂ ତହସିଲଦାର ଥାନାରେ ଏତଲା ଦେଇଥିଲେ ।
ପୋଲିସ ତଦନ୍ତ କରିବା ପରେ ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା । କାର୍ଯ୍ୟରେ ଅବହେଳା ପାଇଁ ଏହି ଘଟଣାରେ ପୂର୍ବତନ ତହସିଲଦାର ଅନିଶା ଦାସଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ