ବାରିପଦା: ଜଣେ କୋରୋନା ଯୋଦ୍ଧା କୋରୋନା ସହ ଲଢେଇ କରି ସୁସ୍ଥ ହୋଇ କାର୍ଯ୍ୟକୁ ଫେରିବା ପରେ ସହକର୍ମୀମାନେ ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାର ଜଣେ ହାବିଲଦାର ଗତ ମେ ମାସ ୨୧ ତାରିଖରେ କୋରୋନା ପଜେଟିଭି ଚିହ୍ନଟ ହୋଇଥିଲେ । ହାବିଲଦାର ଜଣଙ୍କ ଡ୍ୟୁଟି କରୁଥିବା ସମୟରେ ମହାମାରୀ କୋରୋନାରେ ସଂକ୍ରମଣ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିଲା । ତେବେ ସେ ଦୀର୍ଘଦିନ ଧରି କୋରୋନା ସହ ଲଢେଇ କରି ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଆଜି ପୁଣି ଥରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ହାବିଲଦାର ଜଣଙ୍କ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ଉଦଳା ପୋଲିସ ପକ୍ଷରୁ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି ।
କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ କେଦାର ନାଥ ସାହୁ, ଉଦଳା ଥାନା ଅଧିକାରିଣୀ ରୀନା ବେହେରା ଓ ପୋଲିସ କର୍ମଚାରୀ ମାନେ ସୁସ୍ଥ ହୋଇ ଫେରିଥିବା କୋରୋନା ଯୋଦ୍ଧା ହାବିଲଦାରକୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ତେବେ ହାବିଲଦାର ଜଣଙ୍କ ପୁଣିଥରେ ନିଜ କାର୍ଯ୍ୟରେ ଯୋଗ ଦେବା ପରେ ମୟୂରଭଞ୍ଜ ଏସପି ପରମରସ୍ମିତ ପୁରୁଷୋତ୍ତମ ଦାସ ନିଜ ଟ୍ବିଟର ପେଜରେ ହାବିଲଦାର ଜଣଙ୍କ ପୁଣିଥରେ କାର୍ଯ୍ୟରେ ଯୋଗ ଦେବାରୁ ସେ ଗର୍ବ ଅନୁଭବ କରିବା ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ