ବାରିପଦା: ଟାଉନା ଥାନା ତକତପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଛୁରାମାଡରେ ୪ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପକ୍ଷେ ଅଭିଯୁକ୍ତକୁ ଗିରଫ ଦାବିରେ ୧୮ ନମ୍ବର ଜାତୀୟ ରାଜପଥକୁ 2 ଘଣ୍ଟା ଧରି ଅବରୋଧ କରାଯାଇଛି ।
ସୂଚନାମୁତାବକ, ଗତ ୧୩ ତାରିଖରେ ବାରିପଦା ସହରର କାଳିଆଛକ ନିକଟରେ କୌଣସି କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଏହି ଘଟଣାରେ ସଂଘବଦ୍ଧ ଭାବେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଜଣେ ଯୁବକକୁ କୁରାଢିରେ ଛେଚି ଲହୁଲୁହାଣ କରିଦେଇଥିଲେ । ଉକ୍ତ ଯୁବକକୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଭାବେ ଆହତ ହୋଇଥିବା ଯୁବକମାନେ ହେଲେ ବିଦୁ କିସ୍କୁ , ମାଟୁ ମାରାଣ୍ଡି । ଏହି ଯୁବକ ଦୁଇ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସ୍ଥାନୀୟ ଆଦିବାସୀ ମାନେ ଏହି ଘଟଣାକୁ ଗୁରୁତର ସହ ନେବା ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ଗତ ତିନିଦିନ ହେବ କିଛି ଅସାମାଜିକ ଯୁବକଙ୍କ ଭୟରେ ସ୍ଥାନୀୟ ବାସିନ୍ଦା ଆଜି(ଗୁରୁବାର) ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଉଥିଲେ । ଏହି ସମୟରେ ଅନ୍ୟ ଗୋଷ୍ଠୀର ଲୋକେ ଖବର ପାଇ ତକତପୁର ଛକଠାରେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ।
ଆନ୍ଦୋଳନକାରୀଙ୍କ କହିବା ମୁତାବକ, ପୋଲିସ ପିସିଆର ଭ୍ୟାନ୍ ଏବଂ ପୋଲିସର ଉପସ୍ଥିତରେ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିଲେ । ଘଟଣା ସ୍ଥଳରେ ବର୍ତ୍ତମାନ ବାରିପଦା ଟାଉନ ଥାନାର ଆଇଆଇସି, ସଦର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ