ରାଇରଙ୍ଗପୁର: ପାତା ପର୍ବକୁ ନେଇ ଚଳଚଞ୍ଚଳ ଗାଁ ଦାଣ୍ଡ । ମାଟି କାନ୍ଥରେ ଅଙ୍କା ଯାଇଛି ସୁନ୍ଦର ଚିତ୍ର ଓ ନିଆରା କଳାକୃତି । କିଏ ଫୁଲ ଆଙ୍କିଛି ତ ଆଉ କିଏ ଗଛ ଲତା ଆକାରର ଝୋଟି । ଚାରିଆଡେ ସଫାସୁତୁରା ରାସ୍ତା , ଅଳିଆ ଆବର୍ଜନା ତ ଦୂରର କଥା ପ୍ଲାଷ୍ଟିକ ଜରି ଖଣ୍ଡେ ମଧ୍ୟ ପଡ଼ିନାହିଁ। ଗାଁ କୁ ଦେଖିଲେ ସମସ୍ତଙ୍କର ମନ ଆକର୍ଷିତ ହେବ। ଏହି ଗାଁର ସ୍ବଚ୍ଛତା ଆଗରେ ଫେଲ ମାରିଯିବ ଦେଶର ବଡ ବଡ ସହର । ସ୍ବଚ୍ଛତାର ଗାଁ କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବୋବେଇଯୋଡା ଗାଁରେ ଦେଖିବାକୁ ମିଳୁଛି ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ଗ୍ରାମ୍ୟ ସ୍ବରାଜ୍ୟର ଝଲକ । ସ୍ବଚ୍ଛତାକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଆଦିବାସୀ ବହୁଳ ଗାଁ ।
ଆଦିମ ଜନଜାତି ସାନ୍ତାଳୀ ଲୋକମାନଙ୍କ ଐତିହ୍ୟ ପରମ୍ପରାର କଥା କୁହେ ବୋବେଇଯୋଡା ଗାଁର ପାତା ପର୍ବ । ଏହି ପର୍ବ ଦେଖିବାକୁ ବନ୍ଧୁ କୁଟୁମ୍ବଙ୍କ ସହିତ ପଡ଼ୋଶୀ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଲାଗିଥାଏ । ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଆଦିବାସୀ ନୃତ୍ୟ । ଯୁବତୀ ଓ ମହିଳାମାନେ ସୁସଜ୍ଜିତ ପାରମ୍ପରିକ ପୋଷାକରେ ନାଗଡା ଓ ମାଦଳର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି । ପର୍ବ ପାଇଁ ଗାଁ ଦାଣ୍ଡଠୁ ନେଇ ଗାଧୁଆ ତୁଠ ପର୍ଯ୍ୟନ୍ତ ସବୁକିଛି ପରିଷ୍କାର ପରିଚ୍ଛନ୍ନ । ଗାଁ ପରିମଳ ଧୋବା ତୁଠରୁ ଜଣାପଡିବା ପରି ବୋବେଇଯୋଡା ଗାଁର କାନ୍ଥ ବାଡରୁ ମିଳେ ସ୍ବଚ୍ଛତାର ପରିଚୟ । ଏହି ଗାଁର ପରିଷ୍କାର ପରିଚ୍ଛନ୍ନତା ପରିମଳ ବ୍ୟବସ୍ଥା ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନଠୁ ମଧ୍ୟ ଅଧିକା । ସ୍ଵଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ଗାଁର ସମସ୍ତେ ଡଷ୍ଟବିନ ବ୍ୟବହାର କରୁଛନ୍ତି । ନିଜ ଗାଁକୁ ସଫାସୁତୁରା ରଖିବା ପାଇଁ ଗ୍ରାମବାସୀ ସରକାରଙ୍କଠୁ ନେଉନାହାଁନ୍ତି କୌଣସି ଅର୍ଥ ।
ସହର ମୁହାଁ ଆଜିର ସମାଜ । ଫଳରେ ଦେଶର ଆତ୍ମା କୁହାଯାଉଥିବା ଗ୍ରାମାଞ୍ଚଳ ଆଜି ବି ଅବହେଳିତ । ଏପରି ସ୍ଥିତିରେ ମହାତ୍ମାଗାନ୍ଧୀଙ୍କ ସ୍ବଚ୍ଛ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ବୋବେଇଯୋଡା ଗାଁର ସ୍ବଚ୍ଛତା ନିଶ୍ଚିତ ଭାବେ ଦେଶପାଇଁ ବଡ ଉଦାହରଣ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ