ରାଇରଙ୍ଗପୁର: ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେଇ ଧରା ପଡିଲେ ବାରିପଦା ପୌରପାଳିକାର ସିଟି ମ୍ୟାନେଜମେଣ୍ଟ ମିଶନ ୟୁନିଟ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଠାରୁ ଲାଞ୍ଚ ନେବା ଅଭିଯୋଗ ପରେ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭଞ୍ଜପୁର ଥାନା ପୋଲିସ ।
ସୂଚନା ଅନୁଯାୟୀ, ମା' ସନ୍ତୋଷୀ ନାମକ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ବାରିପଦା ସହର ସ୍ଥିତ ବସଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଇ ଆସୁଥିଲେ । ତେବେ ସେଠାରେ ଦିଆଯାଉଥିବା ଖାଦ୍ୟ ସବୁ ନିମ୍ନ ମାନର ଥିବା ମା’ ସନ୍ତୋଷୀ ସ୍ବୟଂ ସହାୟିକା ଗୋଷ୍ଠୀକୁ ପୌରପାଳିକାର ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ ଅଫିସର ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ । ତେବେ ଏ ବାବଦକୁ ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ଟଙ୍କା ନେଇଥିଲେ ମନୋରଞ୍ଜନ ପାଣିଗ୍ରାହୀ । ସେ ପୁଣି ବାରିପଦା ପୌରପାଳିକାର ନଗରପାଳ ଓ କନିଷ୍ଠ ଯନ୍ତ୍ରୀ ସ୍ୱାଇଁ ବାବୁଙ୍କ ନାମରେ ଏହି ଲାଞ୍ଚ ଟଙ୍କା ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ - ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ , ସ୍ବାବଲମ୍ବୀ ସ୍ବୟଂ ସହାୟିକା ଗୋଷ୍ଠୀ
ଏହା ମଧ୍ୟ ପଢନ୍ତୁ - ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ; ୮ ହଜାର ଲାଞ୍ଚ ନେଇ ଧରାପଡିଲେ
ପରେ ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଇବା ପାଇଁ ନୂତନ ଚୁକ୍ତି କରିବାକୁ ଆଉ ୩ ଲକ୍ଷ ଟଙ୍କା ଅଧିକା ଲାଞ୍ଚ ମାଗିଥିଲେ । ଏହି ଟଙ୍କା ନ ଦେଲେ ମା’ ସନ୍ତୋଷୀ ସ୍ବୟଂ ସହାୟିକା ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିବାକୁ ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ମା ସନ୍ତୋଷୀ ଗ୍ରୁପ ପକ୍ଷରୁ ବାରିପଦା ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ ଅବଗତ କରାଯାଇଥିଲା । ଏଥିସହ ଭଞ୍ଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପାଇବା ପରେ ଭଞ୍ଜପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି ।
ପ୍ରକାଶ ଥାଉକି, ଗତ ମାସରେ ଲାଞ୍ଚ ନେଇ ଧରା ପଡିଥିଲେ ଅନୁଗୋଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥି । ଏକ ପାରିବାରିକ ମାମଲା ରଫାଦଫା କରିବାକୁ ସେ ଜଣଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର