ରାଇରଙ୍ଗପୁର: କ୍ଷତିପୂରଣ ଦାବିରେ ରାସ୍ତାରୋକ । ତା ପୁଣି ଘଣ୍ଟେ କି ଦୁଇ ଘଣ୍ଟା ପାଇଁ 12 ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରାଯାଇଛି । ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ପାଟବିଲା ଛକରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ବନେଇକଳାର ଶିବ ନାଏକ । ଏହି ଦୁର୍ଘଟଣାକୁ ନେଇ ରାସ୍ତା କଡରେ ମୃତଦେହ ରଖି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଗ୍ରାମବାସୀ ।
ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ଏକ ଘରୋଇ କମ୍ପାନୀକୁ ଦାୟୀ କରିଛନ୍ତି । ସେଥିପାଇଁ କମ୍ପାନୀ କର୍ତ୍ତୁପକ୍ଷ ଘଟଣାସ୍ଥଳକୁ ନ ଆସିବା ଯାଏ ରାସ୍ତା ରୋକରୁ ଓହରିବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି ସ୍ଥାନୀୟ ଲୋକେ । ରାସ୍ତାରୋକ ହଟାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପୋଲିସ ବୁଝାଇଥିଲେ ମଧ୍ୟ ବିଫଳ ହୋଇଛି । ଏପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି । ରାସ୍ତା କାମ କରୁଥିବା କମ୍ପାନୀ ରାସ୍ତାକଡ଼ରେ ମାସ ମାସ ଧରି ବାଲି ଗୋଡି ଆଦି ପକେଇ ରଖିଥିବାରୁ ଦୁର୍ଘଟଣା ଘଟୁଛି ବୋଲି କହିଛନ୍ତି ସ୍ଥାନୀୟଲୋକେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ