ବାରିପଦା: କୋରୋନା ପାଇଁ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ଜଗନ୍ନାଥ ପ୍ରେମୀ ଅନେଇ ବସିଥିଲେ ଚଳିତ ବର୍ଷ ରଥ ହେବ ନା ନାହିଁ। ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି।
ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବାରିପଦାଙ୍କର ରଥ ଯାତ୍ରାକୁ ଏହି ସମୟରେ କୋରୋନା ମହାମାରୀ ଜନିତ କଟକଣା , ସାମାଜିକ ଦୂରତ୍ବ ଓ ସାବଧାନ ସୂଚକ ନିୟମାବଳି ମଧ୍ୟରେ ସମ୍ପାଦନ କରିବା ଏକ ମୁଖ୍ୟ ସମସ୍ୟା । ଭକ୍ତ ବିହୀନ ରଥଯାତ୍ରା ଶ୍ରଦ୍ଧାଳୁ ମାନଙ୍କ ଭାବାବେଗକୁ ପ୍ରଭାବିତ କରୁଥିବା ବେଳେ ଜନ ସମାଗମକୁ ସଂପୂର୍ଣ୍ଣ ରୂପେ ଏଡେଇ ଦିଆଯିବା ସମ୍ଭବ ନୁହେଁ ଓ ସମ୍ଭାବ୍ୟ ସଂକ୍ରମଣକୁ ରୋକାଯାଇପାରିବା ମଧ୍ୟ ଅସମ୍ଭବ ମନେ ହୁଏ । ଏଥି ସହିତ ଅନ୍ୟ ବିକଳ୍ପ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିବା ପରେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବାରିପଦାରେ ରଥଟଣା ସମ୍ଭବ ନୁହେଁ ବୋଲି ମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଛି।
ଏହି ସବୁକୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁଙ୍କ ରଥ ଯାତ୍ରା ଓ ବାହୁଡା ଯାତ୍ରା ମନ୍ଦିର ପରିସରରେ କେବଳ ସେବାୟତ ମାନଙ୍କ ଦ୍ବାରା ଯଥାବିଧି ନୀତିକାନ୍ତି ସହ ସମ୍ପନ୍ନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛି ମନ୍ଦିର କମିଟି । ଏ ନେଇ ଏକ ପ୍ରେସ ବିବୃତି ଜାରି କରିଛି ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ପରିଚାଳନା କମିଟି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ