ରାଇରଙ୍ଗପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ନିୟମ କଡ଼ାକଡ଼ି କରି ସାରା ରାଜ୍ୟରେ ଲକଡାଉନ୍ ଜାରି ରଖିଛନ୍ତି । କିନ୍ତୁ ଚୋରା ମଦ ବେପାରୀମାନେ ଲକଡାଉନର ଭରପୁର ଫାଇଦା ଉଠାଇ ଚୋରାରେ ମଦ ବିକ୍ରି କରୁଥିବା ଜଣାପଡିଛି । ତେବେ ଚୋରା ମଦ ବେପାରୀଙ୍କୁ ସାବାଡ କରିବା ପାଇଁ ସହରର ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚୋରାରେ ଦେଶୀ ଏବଂ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ବିପୁଳ ପରିମାଣରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହ ଦେଶୀ ମଦ ଜବତ କରାଯାଇଛି । ତା ସହିତ ମଦ କାରବାରରେ ଲିପ୍ତ ଥିବା ତିନି ଜଣଙ୍କୁ ଅବକାରୀ ବିଭାଗ ପକ୍ଷରୁ ଅଟକ ରଖାଯାଇଥିବା ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ