ରାଇରଙ୍ଗପୁର : ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ବାଇକ ଚାଳକ ଜଣଙ୍କ ଅଳ୍ପକେ ବଞ୍ଚି ଯାଇଥିଲେ ବେଳେ ବାଇକ୍ରେ ବସିଥିବା ଅନ୍ୟ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଅଘଟଣଟି ଘଟିଛି ମୟୂରଭଞ୍ଜ ତିରିଂ ଥାନା ଅଧିନ ମାକଡିଘାଟି ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ।
ତେବେ ମୃତକ ଜଣକ ହେଲେ ଝାଡଖଣ୍ଡ ରାଜ୍ୟ ରାଜନଗର ଥାନା ବାନ୍ଦୁ ଗ୍ରାମର ବୁଢାନ ହାଁସଦାଙ୍କ ପୁଅ ଉପିନ୍ ହାଁସଦା(23) । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଭାଇ ଏକ ବାଇକ ଯୋଗେ ଘରକୁ ଯାଉଥିବା ସମୟରେ ମାକଡିଘାଟି ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ କୌଣସି କାରଣରୁ ଭାରସାମ୍ୟ ହରାଇ ବାଇକରୁ କଚାଡି ହୋଇ ରାସ୍ତା ଉପରେ ପଡି ଯାଇଥିଲେ ଦୁଇ ଯୁବକ ।
ଏହାପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ଗୋଟିଏ ଭାଇର ଜୀବନ ବଞ୍ଚି ଯାଇଥିବା ବେଳେ ଅନ୍ୟ ଜଣକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।
ଏ ନେଇ ତିରିଂ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ