ମାଲକାନଗିରି: ବଣ୍ଡା ଘାଟିରେ ଆରମ୍ଭ ହେଲା କୋରୋନା ଟୀକାକରଣ । ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର 12 ଜଣକୁ କୋରୋନା ସଂକ୍ରମଣ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।
ଦୁଇ ଦିନ ତଳେ ଜିଲ୍ଲାପାଳ ଓ୍ବାଇ ବିଜୟ ଏବଂ CDMO ଡ଼ ପ୍ରଫୁଲ୍ଲ ନନ୍ଦ ବଣ୍ଡା ଘାଟିର ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଗାଁ ଗାଁକୁ ମେଡିକାଲ ଟିମ ପହଞ୍ଚି ଟିକାଦାନ ଆରମ୍ଭ କରିଛନ୍ତି । ବଣ୍ଡା ଘାଟିର ବାଣ୍ଡି ପୋଡା, ଦନ୍ତୀ ପୋଡା, ମୁଦୁଲିପଡା, କିର୍ଷାନିପୋଡା ଏଭଳି ବିଭିନ୍ନ ଗାଁରେ ଟୀକାକରଣ କରାଯାଇଛି । ଏହାସହ କାହାର କିଛି ଲକ୍ଷଣ ଥିଲେ ସେମାନଙ୍କୁ ଔଷଧ ଏବଂ ଇଞ୍ଜେକ୍ସନ ଦିଆଯାଉଛି ।
ବଣ୍ଡା ଘାଟି କହିଲେ ଦୁଇଟି ପଞ୍ଚାୟତ ଅଣ୍ଡ୍ର।ହାଲ ଏବଂ ମୁଦୁଲିପଡାକୁ ବୁଝାଏ । ଏହି ଦୁଇଟି ପଞ୍ଚାୟତରେ ସାତ ହଜାରରୁ ଊର୍ଦ୍ଧ୍ବ ବଣ୍ଡା ଜନଜାତି ବସବାସ କରୁଛନ୍ତି । 5 ହଜାର ଫୁଟ ଉଚ୍ଚତାରେ ରହିଛି ଏହି ବଣ୍ଡା ଘାଟି । ତେବେ ଜୀବନ ଜୀବିକା ପାଇଁ ପଡ଼ୋଶୀ ଜିଲ୍ଲାକୁ ଯାଇ ଆନ୍ଧ୍ର ଷ୍ଟ୍ରେନର ଶିକାର ହୋଇଛି ଏହି ବଣ୍ଡା ଜନଜାତି । ବଣ୍ଡା ଘାଟିରୁ କୋରୋନା ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସ ଜାରି ରଖିଛନ୍ତି । ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି । ବଣ୍ଡାମାନଙ୍କୁ ମାସ୍କ, ସାନିଟାଇଜର ମାଗଣାରେ ବଣ୍ଟାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ