ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦୁଃଖଦ ଘଟଣା । ସାପ କାମୁଡ଼ାରେ ମାମୁଁ ଭାଣିଜୀଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଆଲୁରୁ ଗ୍ରାମରେ। ମୃତକ ଦ୍ବୟ ହେଲେ ଗଙ୍ଗା ଦୁରୁଆ (୮) ଓ ତାଙ୍କ ଭାଣିଜୀ କମଳା ଦୁରୁଆ (୫)। ଗତକାଲି (ଶୁକ୍ରବାର) ରାତିରେ ଘରେ ଶୋଇଥିବା ବେଳେ ଏକ ଚିତି ସାପ ଦୁଇଜଣଙ୍କୁ କାମୁଡିଥିଲା।
ଫଳରେ ଘଟଣାସ୍ଥଳରେ ହିଁ ମାମୁଁ ଗଙ୍ଗା ଦୁରୁଆଙ୍କର ମୃତ୍ୟୁ ଘଟିଥିବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକିତ୍ସାଧୀନ ଅବସ୍ଥାରେ ଭାଣିଜୀ କମଳା ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଘରଲୋକ ଚିତି ସାପୁକୁ ଦେଖିଲାପରେ ସାପକୁ ମାରିଦେଇଥିବା ଜଣାପଡିଛି । ଖବରପାଇ ମାଲକାନାଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ସେଠାରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ମୃତଦେହ ଦ୍ବୟକୁ ଉଦ୍ଧାର କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ଏହାସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ପରେ ପରିବାରରେ କଳାବାଦଲ ଘୋଟି ଆସିଛି। ତେବେ ଗୋଟିଏ ଘରୁ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
ଇଟିଭି ଭାରତ, ମାଲକାନଗିରି