ମାଲକାନଗିରି: ଦଇବ ସାଧୁଛି ଦାଉ। ବର୍ଷ ବର୍ଷ ଧରି ବିଛଣାରେ କଟୁଛି ଜୀବନ। ବଞ୍ଚିବାକୁ ପ୍ରତିଟି ମୂହୁର୍ତ୍ତ ସଂଘର୍ଷ କରିବାକୁ ପଡୁଛି। ସରକାରୀ ସହାୟତା ପାଇଁ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକର କାର୍ଲାକୋଟା ପଞ୍ଚାୟତ ରଗେଇପୁସପାଲି ଗ୍ରାମର ଭିନ୍ନକ୍ଷମ ବୃନ୍ଦା କବାସୀ ଆକୁଳ ନିବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି "ମୁଁ ବଞ୍ଚିବାକୁ ଚାହେଁ" ବୋଲି କୋହଭରା କଣ୍ଠରେ କହିଛନ୍ତି ବୃନ୍ଦା ।
ମାସେ କି ବର୍ଷେ ନୁହେଁ । ଦୀର୍ଘ ୧୨ ବର୍ଷରୁ ଅଧିକ ଦିନ ହେଲାଣି । ଶଯ୍ୟାସାୟୀ ହୋଇ ବିଛଣାରେ ପଡ଼ିରହିଛନ୍ତି ବୃନ୍ଦା । ବଡ ଭଉଣୀ ମଧ୍ୟ ଭିନ୍ନକ୍ଷମ ହୋଇଥିବାରୁ ଘର କାମ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନା କିଛି କରିଧରି ପାରୁଛନ୍ତି ନା ଉଠିବସି ପାରୁଛନ୍ତି । କେବଳ କଥା କହିବା ଛଡା ଆଉ କିଛି କରି ପାରୁନାହାନ୍ତି । ବାପା ମାଆଙ୍କର ଅକାଳ ବିୟୋଗରେ ଦୁଇ ଭଉଣୀ ଅନାଥ ହୋଇ ପରସ୍ପର ଉପରେ ନିର୍ଭର କରି ଚଳୁଛନ୍ତି । ଘରେ ଥିଲେ ଖାଉଛନ୍ତି ନଚେତ ଭୋକ ଉପାସରେ ରହୁଛନ୍ତି । ଆଠ ବର୍ଷ ବିଛଣାରେ ପଡି ରହିବା ପରେ ପ୍ରଶାସନ ସହାୟତାରେ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ ଯାଇଥିଲେ ବୃନ୍ଦା । କଟକ ଏସସିବି ମେଡିକାଲରେ 4 ଥର ଅପରେସନ ହୋଇ ଶରୀରର ବିଭିନ୍ନ ଗଣ୍ଠିରେ ଷ୍ଟିଲ ଜଏଣ୍ଟ ଲାଗିଛି । ଏଣୁ ପ୍ରତିଦିନ ବ୍ୟଥା ଓ କ୍ୟାଲ୍ସିଅମ୍ ପରି ଔଷଧ ଉପରେ ନିର୍ଭର କରୁଛନ୍ତି ବୃନ୍ଦା ।
ଅର୍ଥ ଅଭାବ ଯୋଗୁଁ ଭାଗ୍ୟକୁ ଆଦରି ବିଛଣାରେ ବର୍ଷ ବର୍ଷ ଧରି ପଡ଼ି ରହିଛନ୍ତି । କେତେକ ସମୟରେ କିଛି ସାମାଜିକ ବ୍ୟକ୍ତି ସହାୟତାର ହାତ ବଢ଼ାଇଥାନ୍ତି । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ଭତ୍ତା ବାବଦକୁ ଦୁଇ ଭଉଣୀଙ୍କୁ ମୋଟ ୧୨୦୦ ଟଙ୍କା ଓ ପଞ୍ଚାୟତରୁ ମୋଟ ୧୦କିଲୋ ଚାଉଳ ପ୍ରତ୍ୟେକ ମାସରେ ମିଳୁଛି । ହେଲେ ସେଥିରେ ରୋଗୀଣା ଭଉଣୀଙ୍କୁ ସାଥିରେ ନେଇ ଚଳିବା କଷ୍ଟକର ହୋଇପଡ଼ିଛି । ସରକାର ପକ୍ଷରୁ ଚିକିତ୍ସା କ୍ଷେତ୍ରରେ ସହାୟତା ଦିଆଗଲେ ପୁଣି ସୁସ୍ଥ ହୋଇ ପାଠ ପଢ଼ିବାକୁ ଚାହୁଁଥିବା ବୃନ୍ଦା କହିଛନ୍ତି ।
ବାଲିମେଳା ସ୍ଥିତ ସହଯୋଗ ଟିମ ସଦସ୍ୟଙ୍କ ସହାୟତାରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଦୁଇ ଭଉଣୀ । ଆବେଦନକୁ ଗୁରୁତ୍ବର ସହ ବିଚାରକୁ ନେଇ ଏଥିପ୍ରତି ଅତିଶୀଘ୍ର ପଦକ୍ଷେପ ନେବା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପର ପକ୍ଷରେ ବୃନ୍ଦାଙ୍କ ବଡଭଉଣୀ କହିଛନ୍ତି ସରକାରଙ୍କ ସହାୟତାରେ ତାଙ୍କ ଗାଁରେ ଏକ ଛୋଟ ଦୋକାନଟିଏ କରି ଦିଆଗଲେ ସେମାନଙ୍କର ଚଳିବାରେ ସୁବିଧା ହେବ । ଅପରପକ୍ଷେ କୋରକୁଣ୍ଡା ବିଡିଓଙ୍କୁ ଏନେଇ ପଚାରିବାରୁ ସରକାରୀ କ୍ଷେତ୍ରରେ ବୃନ୍ଦାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆବଶ୍ୟକ ଚିକିତ୍ସା ଅଭାବରୁ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୃନ୍ଦା । ସରକାର ଦୁଇ ଭିନ୍ନକ୍ଷମ ଭଉଣୀଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସହଯୋଗ କଲେ କିଛି ମାତ୍ରାରେ ସେମାନଙ୍କ କଷ୍ଟ ଦୂର ହୋଇପାରନ୍ତା ।
ଇଟିଭି ଭାରତ, ମାଲକାନିଗିରି