ମାଲକାନଗିରି: ଧର୍ମାନ୍ତରୀକରଣକୁ ନେଇ ଶବ ସତ୍କାର ବାରଣ। ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ସହ ପୋଲିସ ମୁତୟନ କରାଯାଇଛି। ଏହାସହ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଶାସନ ବୁଝାସୁଝା କରୁଛି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଡୁଡିଗୁଡା ଗ୍ରାମରେ। ଜଣେ ବ୍ୟକ୍ତି ଗୋଟିଏ ଧର୍ମ ଗ୍ରହଣ କରିଥିବାରୁ ମତ୍ୟୁବରଣ କରିବା ପରେ ତାକୁ ଗାଁ ଶ୍ମଶାନରେ ପୋତିବାକୁ ଗ୍ରାମବାସୀ ମନା କରୁଛନ୍ତି । ଏହାକୁ ନେଇ ଛିଣ୍ଡୁନି ବିବାଦ।
ସୂଚନା ଅନୁଯାୟୀ, ଗ୍ରାମରେ ବାସ କରୁଥିବା ପାଣ୍ତୁ ମାଡକାମୀ ଗତ ତିନି ଚାରି ବର୍ଷ ତଳେ ଧର୍ମ ପରିବର୍ତ୍ତନ କରିଥିଲେ। ତେବେ ତାଙ୍କର ଆଜି ୭୦ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କୁ ସ୍ଥାନୀୟ ଶ୍ମଶାନରେ ପୋତିବା ପାଇଁ ପରିବାର ଲୋକେ ଯାଉଥିବା ବେଳେ ଗ୍ରାମବାସୀ ଏହାକୁ ବାରଣ କରିଥିଲେ । ତେବେ ଏହି ଶ୍ମଶାନରେ ମୃତକଙ୍କୁ ନପୋତି ଅନ୍ୟତ୍ର ନେବାକୁ ଗ୍ରାମବାସୀ ଦାବି କରିଥିଲେ । ହେଲେ ପରିବାରଲୋକେ ଏଠାରେ ହିଁ ପୋତିବେ ବୋଲି ଜିଦ ଧରି ବସିଥିବାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଖବର ପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି ।
ଏଥିସହ ମାଜିଷ୍ଟ୍ରେଟ ଦାୟୀତ୍ବରେ ଥିବା ତହସିଲଦାର ଗୁଣନିଧି ନାୟକ ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି। ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଉଭୟ ଗୋଷ୍ଠୀ ବୁଝିବାକୁ ନାରାଜ ଦେଖିବାକୁ ମିଳିଛି। ଯାହା ଫଳରେ 12 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମରଶରୀର ପଡି ରହିଛି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ