ମାଲକାନଗିରି: ନକ୍ସଲ ଏବଂ ଅପହଞ୍ଚ ଅଞ୍ଚଳ ପାଇଁ ବେଶ ପରିଚିତ ମାଲକାନଗିରି ଜିଲ୍ଲା । ଆଉ ପୋଲିସ ନକ୍ସଲଙ୍କ ସହ ଲଢେଇ କରି ଜୀବନ ଦେବା ସହ ଲୋକଙ୍କର ଧନ ଜୀବନକୁ ମଧ୍ୟ ସୁରକ୍ଷା ଦେଉଛନ୍ତି । ଦୀର୍ଘ ବର୍ଷ ଧରି ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଲାଗିଥିବା ଛକାପଞ୍ଝାରେ ନିରୀହ ଲୋକେ ବଳି ପଢୁଛନ୍ତି । ସେଥିପାଇଁ ଲୋକେ ମାଲକାନଗିରି ନାମ ଶୁଣିଲେ ଏଠାକୁ ଆସିବାକୁ ଶହେ ଥର ଚିନ୍ତା କରନ୍ତି । ଏହି ସମୟରେ ମାଲାକନଗିରିକୁ ଆସନ୍ତି ଏସଆଇ ଶୁଭଶ୍ରୀ ନାୟକ । ପେଶାରେ ଜଣେ ମହିଳା ସବ୍ ଇନସପେକ୍ଟର । କିନ୍ତୁ, ଲକ୍ଷ୍ୟ ଗରିବ, ଅସହାୟ ଏବଂ ନିସ୍ପେଷିତ ଲୋକଙ୍କୁ ସହଯୋଗର ହାତ ବଢାଇବା ।
ଗତବର୍ଷ ମାଲକାନଗିରି ଜିଲ୍ଲାକୁ ପ୍ରୋବେସନାରୀ ଟ୍ରେନିଂ ନେବା ପାଇଁ ଆସିଥିଲେ । ତେବେ ଜିଲ୍ଲା ପୋଲିସ ବିଭାଗ ତରଫରୁ ତାଙ୍କୁ ମାଲକାନଗିରି ଥାନାରେ ପୋଷ୍ଟିଂ କରାଯାଇ ବିଭିନ୍ନ ଦାୟିତ୍ବ ଦିଆଯାଇଥିଲା । ସେ ମାଲକାନଗିରିରେ ପହଞ୍ଚିବାର କିଛି ଦିନ ପରେ ଦେଶରେ କୋରୋନାକୁ ନେଇ ଆତଙ୍କ ଖେଳିଯାଇଥିଲା । ମାଲକାନଗିରିରେ ମଧ୍ୟ ଲକ୍ ଡାଉନ ଏବଂ ସଟ୍ ଡାଉନ ଚାଲିଲା । ପୋଲିସର ଦାୟିତ୍ୱ ବଢିଗଲା । ମାଲକାନଗିରିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ପଡିଲା । ଲୋକେ ଘରୁ ପଦାକୁ ବାହାରିପାରିଲେ ନାହିଁ ।
ମାଲକାନଗିରି ସହର ସାରା ପୋଲିସ ଛାଉଣି ଶୁଭଶ୍ରୀଙ୍କୁ ମଧ୍ୟ ମାଲକାନଗିରି ଜୟପୁର ଜାତୀୟ ରାଜପଥ ୩୨୬ ନମ୍ବର ପଦ୍ମଗିରି ଛକ ନିକଟରେ ଦାୟିତ୍ୱ ଦିଆଗଲା । ସେ ଏପ୍ରିଲ ମାସର ପ୍ରଚଣ୍ଡ ଖରାରେ ଜାତୀୟ ରାଜପଥରେ ଛିଡା ହୋଇ ମାଲକାନଗିରି ସହର ଭିତରକୁ ଗୋଟିଏ ବି ଗାଡି କିମ୍ବା ଲୋକଙ୍କୁ ପ୍ରବେଶ କରିବାକୁ ଦେଉନଥିଲେ । ନିଜର ଦାୟିତ୍ୱକୁ ସେ ଗମ୍ଭୀରତାର ସହ ନେଇଥିଲେ । ଶୁଭଶ୍ରୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଜଣେ ଅସହାୟ ବୃଦ୍ଧାଙ୍କୁ ନିଜ ହାତରେ ଭାତ ଖୁଆଇଥିଲେ । ଶୁଭଶ୍ରୀ ନିଜର ଖାଦ୍ୟ ପ୍ୟାକେଟରୁ ବାହାର କରି ଅସହାୟ ବୃଦ୍ଧାଙ୍କ ମୁହଁ ଧୋଇବା ପରେ ନିଜ ହାତରେ ତାଙ୍କୁ ଖୁଆଇ ଦେଇଥିଲେ ।
ପ୍ରକାଶ ଯେ, ବୃଦ୍ଧାଙ୍କ ହାତ ଖରାପ ଥିଲା । ସେ ହାତରେ ଭାତ ଖାଇବା ପାଇଁ ଅସମର୍ଥ ଥିଲେ । ଶୁଭଶ୍ରୀ କୌଣସି କଥାକୁ ଚିନ୍ତା ନକରି ତାଙ୍କର ସହଯୋଗ କରିଥିଲେ । ଯାହା ପ୍ରଥମେ ସାରା ଜିଲ୍ଲା, ରାଜ୍ୟ ଓ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶୁଭଶ୍ରୀଙ୍କ ମଣିଷପଣିଆକୁ ସମସ୍ତେ ପ୍ରଶଂସା କରିଥିଲେ । ଏପରିକି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ଶୁଭଶ୍ରୀଙ୍କ ଏହି ମହାନତାରେ ମନ୍ତ୍ରମୁଗ୍ଧ ହୋଇଥିଲେ। ଏହା ସହ ତାଙ୍କୁ ମାଲକାନଗିରିର ମଦର ଟେରେସା ବୋଲି ଲୋକେ କହିଥିଲେ ।
ଏମିତିକି ଚିରଞ୍ଜିବୀ ଶୁଭଶ୍ରୀଙ୍କ ସହ ଭିଡିଓ କଲ୍ କରି କଥା ମଧ୍ୟ ହୋଇଥିଲେ ଏହି ପ୍ରଶଂସା ପରେ ତାଙ୍କୁ ଯେପରି ପ୍ରେରଣା ମିଳିଥିଲା ସେ ଆଗକୁ ଆହୁରି ଅନେକ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇ ଚର୍ଚ୍ଚାର ପରିଧିକୁ ଆସିଥିଲେ । ଜଣେ ଦୃଷ୍ଟିହୀନ ବୃଦ୍ଧାଙ୍କୁ ନିଜ ହାତରେ ଗାଧୋଇଦେବା, ଜଣେ ଗରିବ ମହିଳାଙ୍କ ପାଖରେ ପହଞ୍ଚି ତାଙ୍କର ହକ୍ ପାଇଁ ଲଢେଇ କରିବା ଭଳି ମାଲକାନଗିରି ଜିଲ୍ଲାରେ ବହୁ କାର୍ଯ୍ୟ କରି ନିଜର ମହାନତା ଦେଖାଇଛନ୍ତି ଶୁଭଶ୍ରୀ । ଏନେଇ ବିଭିନ୍ନ ସମାଜସେବା ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି ।
ପୋଲିସ ବିଭାଗରେ ମଧ୍ୟ ତାଙ୍କର ଏହି କାର୍ଯ୍ୟକୁ ପସନ୍ଦ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁଭଶ୍ରୀଙ୍କ କାର୍ଯ୍ୟ କେବଳ ମାଲାକନଗିରିରେ ସୀମିତ ହୋଇ ରହିଲା ନାହିଁ, ବିଭିନ୍ନ ଗଣମାଧ୍ୟମରେ ତାଙ୍କର ମହାନତାକୁ ନେଇ ଖବର ପ୍ରକାଶ ପାଇବା ପରେ ତାକୁ ସମସ୍ତେ ଚିହ୍ନିବା ସହ ତାଙ୍କର ଏଭଳି ମହତ କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ