ମାଲକାନଗିରି: ସୁରକ୍ଷାବାହିନୀକୁ ମିଳିଛି ବଡ଼ ଧରଣର ସଫଳତା । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ଯବାନ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍ଓଜି ଓ ଡିବିଏଫ୍ ଯମାନମାନେ ମାଟି ତଳୁ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଚାଲୁଥିବାବେଳେ ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା ମିଳିଛି ।
ତେବେ ମାଲକାନଗିରି ଏସପିଙ୍କ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ କୁର୍ମୁନୁର୍ ଗ୍ରାମ ଜଙ୍ଗଲରେ DVF ଓ SOG ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍ କରାଯାଇଥିଲା । ଏହି ସମୟରେ ଯବାନମାନେ ଏକ ବିଶେଷ ସୁତ୍ରରୁ ଖବର ପାଇ ସେହି ଅଞ୍ଚଳରେ ମାଓବାଦୀଙ୍କ ଏକ ଡମ୍ପକୁ ଠାବ କରିଥିଲେ । କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲ ମଧ୍ୟରୁ ମାଟିତଳେ ପୋତା ଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି ପୋଲିସ । ୨୨ ତାରିଖରୁ ଆରମ୍ଭ ହୋଇଥିବା ଅପରେସନରେ ରବିବାର ସୁରକ୍ଷା ବହିନୀ ଜବତ କରିଛନ୍ତି ମାଓ ସାମଗ୍ରୀ । ଜବତ ସାମଗ୍ରୀ ମଧ୍ୟରେ ଏସବିଏମଏଲ ଗନ୍, ୧୨ଟି ଟିଫିନ ଆଇଇଡି, ପାଞ୍ଚଟି ଗ୍ରେନେଡ଼, ୧.୫ କେଜି କୋଡେକ୍ସ ୱେୟାର, ତିନୋଟି ଇଲେକ୍ଟ୍ରିକ ଡିଟୋନେଟର, ୩୯ଟି ଜିଲାଟିନ ଷ୍ଟିକ ଭଳି ପ୍ରାୟ ୩୪ ପ୍ରକାର ମାଓ ସାମଗ୍ରୀ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ.....ପ୍ରତିଶୋଧ ମୁଡ୍ରେ KKBN ଡିଭିଜନ୍, ବସିଲା ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ
ମାଓବାଦୀମାନେ ଏହି ସାମଗ୍ରୀକୁ ସାଧାରଣ ଜନତା ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ରଖିଥିବା ଅନୁମାନ କରାଯାଉଥିବା ଏସପି ସୂଚନା ଦେଇଛନ୍ତି । ସମସ୍ତ ସାମଗ୍ରୀ ଜବତ ପରେ ଅନୁମାନ କରାଯାଉଛି ଯେ, ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ପୁଣି ନିଜ କାୟା ବିସ୍ତାର କରିବା ପାଇଁ କସରତ ଆରମ୍ଭ କରିଦେଇଥିବା ବେଳେ ଗୁଇନ୍ଦା ବିଭାଗ ସତର୍କ ରହିଛି । ଏହି ସବୁ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିର ହୋଇଥାଇପାରେ ବୋଲି ମାଲକାନଗିରି ଏସ୍ପି ନିତେଶ୍ ୱାଧୱାନି ସୂଚନା ଦେଇଛନ୍ତି । ପୁନରୁଦ୍ଧାର ପରେ, ଏହି କାରିଆରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଚାଲିଛି ବୋଲି ପ୍ରକାଶ କରିଛି । ସୂଚନାଯୋଗ୍ୟ ଯେ, କୁର୍ମାନୁର ହେଉଛି ଆନ୍ଧ୍ର– ଓଡ଼ିଶା ସୀମାନ୍ତରେ ଅବସ୍ଥିତ । ଏହି ପଞ୍ଚାୟତଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥୂବାବେଳେ ଏହି ଅଂଚଳରେ ମାଓବାଦୀମାନେ ନିଜର ଦବଦବା ଜାହିର କରିଆସୁଛନ୍ତି ।
ଇଟିଭି ଭାରତ, ମାଲକାନଗିରି