ମାଲକାନଗିରି: ଜିଲ୍ଲା ପଡିଆ ବ୍ଲକର ଗିରକାନପାଲି ଏବଂ ଏମଭି-୭୮ ଗ୍ରାମ ମଧ୍ୟରେ ବହି ଯାଇଛି ପୋଟେରୁ ନଦୀ । ଏହି ନଦୀ ପାର ହୋଇ ଲୋକେ ତହସିଲ କାର୍ଯ୍ୟାଳୟ ହେଉ କି ଥାନା କାମ ପାଇଁ ଯାଇଥାନ୍ତି । ନଦୀ ପାର ହେଲେ ମାତ୍ର ୧୪ କିଲୋମିଟର ବାଟ ପଡିଥାଏ। କିନ୍ତୁ ନଦୀରେ ପାଣି ଥିଲେ ପ୍ରାୟ ୬୦ କିଲୋମିଟର ବାଟ ବୁଲି ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡେ ଲୋକଙ୍କୁ । ଖାଲି ସେତିକି ନୁହେଁ ବିନା ଲାଇଫ୍ ଜ୍ୟାକେଟ୍ ରେ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ପାର ହେଉଛନ୍ତି ଅଞ୍ଚଳବାସୀ । ବ୍ରିଜ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି ହେଲେ ଶେଷ ହେବାର ନାଁ ନେଉନାହିଁ ।
ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳ ଲୋକେ ପୋଟେରୁ ନଦୀରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିଲେ। ତେବେ ରାଜ୍ୟ ସରକାର ଲୋକଙ୍କର ସୁବିଧା ପାଇଁ ଏଠାରେ ପ୍ରାୟ ୮ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର କରିବା ପରେ କାମ ଆରମ୍ଭ କରିଛନ୍ତି। କାମ ଆରମ୍ଭ ହୋଇ ଏକ ବର୍ଷ ପୂରିବ କିନ୍ତୁ ମାତ୍ର ୧୧ ପ୍ରତିଶତ କାମ ହିଁ ବର୍ତ୍ତମାନ ସମାପ୍ତ ହୋଇଛି। ଆସନ୍ତା ୨୦୨୩ ସେପ୍ଟେମ୍ବର ମାସ ଶେଷ ସମୟ ରହିଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଧାର୍ଯ୍ୟ ସମୟ ମଧ୍ୟରେ କାମ ସମାପ୍ତ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉଏକ ବର୍ଷ ମଧ୍ୟରେ କିପରି କାମ ସରିବ ବୋଲି ପ୍ରଶ୍ନ କରିଛନ୍ତି ।
ଏବେ ବି ଲୋକେ ସେହି ପୋଟେରୁ ନଦୀରେ ବିନା ଲାଇଫ୍ ଜ୍ୟାକେଟରେ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ପାର ହେଉଛନ୍ତି । ନିଜର ମଟର ସାଇକେଲ ହେଉ କି ଅନ୍ୟ ଦୁଇ ଚକିଆ ଯାନକୁ ଦେଶୀ ଡଙ୍ଗାରେ ପାର କଲା ପରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଛି। ସେହିପରେ ଅତ୍ୟାବଶକୀୟ ଜିନିଷ ମଧ୍ୟ ଏହି ଦେଶୀ ଡଙ୍ଗାରେ ହିଁ ପାର ହେଉଛନ୍ତି । ପ୍ରାୟ ପ୍ରତିବର୍ଷ ଦେଶୀ ଡଙ୍ଗା ଯୋଗୁଁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ବର୍ତ୍ତମାନ ନଦୀରେ ଅଳ୍ପ ପାଣି ରହିଥିବାରୁ ଅତି ସହଜରେ ଡଙ୍ଗାରେ ଲୋକେ ପାର ହେଉଛନ୍ତି କିନ୍ତୁ ବର୍ଷା ଦିନରେ ନଦୀ ପାର ହେବାରେ ବିପଦ ଆସିଥାଏ । ବର୍ଷା ଦିନରେ ବ୍ରିଜ କାମ ଏକ ପ୍ରକାର ଠପ୍ ହୋଇଯିବା ନିଶ୍ଚିନ୍ତ ।
ଏନେଇ ମାଲକାନଗିରି RD 2ର ଏକଜ୍ୟୁକେଟିଭ ଇଞ୍ଜିନିୟରଙ୍କୁ ପଚାରି ବୁଝିବାକୁ ଚେଷ୍ଟା କରିଥିଲୁ । ସେ କୋରାପୁଟ ଜିଲ୍ଲା ଦାୟିତ୍ବରେ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିଲାନାହିଁ । ଏଣୁ ଏହି ବ୍ରିଜ କାମ ଦାୟିତ୍ବରେ ଥିବା SDO କପିଳେଶ୍ଵର ସିଂଙ୍କ ସହ କଥା ହୋଇଥିଲେ ଆମ ପ୍ରତିନିଧି । ସେ କ୍ୟାମେରା ଆଗରେ କିଛି କହି ନଥିଲେ । ବ୍ରିଜ କାମ ସମୟ ମଧ୍ୟରେ ଶେଷ ହେବ ବୋଲି କହିଥିଲେ ।
ପୂର୍ବରୁ ଏହି ଅଞ୍ଚଳ ନକ୍ସଲଙ୍କ କବଜାରେ ଥିଲା । ତେଣୁ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟରେ ଏକପ୍ରକାର ବାଧା ସୃଷ୍ଟି ହେଉଥିଲା। ଏହି ଅଞ୍ଚଳରେ ଏବେ ନକ୍ସଲଙ୍କର ଭୟ ନଥିବା ବେଳେ ସୁରକ୍ଷାକର୍ମୀ ଦିନରାତି ପଇଁତରା ମାରୁଛନ୍ତି। ତେଣୁ କାମରେ କୌଣସି ବାଧା ନାହିଁ। ହେଲେ ପୋଟେରୁ ବ୍ରିଜ କାମ କାହିଁକି ବିଳମ୍ବ ହେଉଛି ତାର ଉତ୍ତର କାହା ପାଖେ ନାହିଁ । ତେବେ କେବେ ବ୍ରିଜ ନିର୍ମାଣ କାମ ଶେଷ ହେଉଛି ଲୋକଙ୍କ ଯାତାୟତ ସୁବିଧା ହୋଉଛି ତାହା ଦେଖିବା ବାକି ରହିଲା ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ