ମାଲକାନଗିରି: ନିଶା ହଜେଇ ଦେଇଛି ମାଆ ଆଖିରୁ ମମତା । ନିଶାଗ୍ରସ୍ତ ହୋଇ ମାଆ ନିଜ ସନ୍ତାନର ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମରେ ।
ସୂଚନା ମୁତାବକ ସିନ୍ଧିଗୁଡା ଗାଁର ଦେବା କବାସୀଙ୍କ ସ୍ତ୍ରୀ ଗାଙ୍ଗୀ କବାସୀ ନିଜର ତିନି ପିଲା ଛୁଆଙ୍କୁ ନେଇ ଜମିରେ ମହୁଲ ଗୋଟେଇବାକୁ ଯାଇଥିଲେ । ହେଲେ ଖରାବେଳେ ଗାଙ୍ଗୀ ମହୁଲ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ନିଜର 6 ବର୍ଷର ଝିଅ ପୂଜା କବାସୀ ଓ 4 ବର୍ଷର ପୁଅ ବିକାଶ କବାସୀଙ୍କ ଗଳାକୁ ଏକ ଧାରୁଆ ବ୍ଲେଡରେ କାଟିଦେଲେ । ଏହାପରେ ନିଜର ବେକକୁ ମଧ୍ୟ କାଟି ଥିଲେ ଗାଙ୍ଗୀ ।
ଗ୍ରାମବାସୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ସଦର ମେଡିକାଲକୁ ସ୍ତାନାନ୍ତରଣ କରିଯାଇଛି । ଗୁରୁତର ୩ଜଣଙ୍କ ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ମାଆ ଓ ଝିଅ ସାମାନ୍ୟ ସୁସ୍ଥ ରହିଥିବା ବେଳେ ପୁଅ ବିକାଶର ସ୍ୱାସ୍ଥ୍ୟ ସଙ୍କଟାପନ୍ନ ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଘଟଣା ସମ୍ପର୍କରେ କାଲିମେଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ