ମାଲକାନଗିରି: ଶନିବାର ରାତ୍ର ୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ମାଲକାନଗିରି ପୌରାଞ୍ଚଳକୁ ସଟଡାଉନ ଘୋଷଣା । ଜିଲ୍ଲାରେ ରାତ୍ର କର୍ଫ୍ୟୁ ଓ ଅନଲକ 2ର ନୂତନ ନିର୍ଦ୍ଦେଶାବଳୀ ଜାରି କଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ଇତି ମଧ୍ୟରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି ।
ମାଲକାନଗିରି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଦେଶରୁ ଲକଡାଉନ୍ କଟକଣା କୋହଳ କରି ଅନଲକ ୨ ର ନୂଆ ନିର୍ଦ୍ଦେଶାବଳୀ ଲାଗୁକରିଥିବା ବେଳେ ଆଜି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସଟଡାଉନ୍, ରାତ୍ର କର୍ଫ୍ୟୁ ଓ ଅନଲକ-୨ ର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅନଲକ ପାଇଁ ଦୋକାନ ବଜାରଗୁଡିକ ସକାଳ ୭ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ସହରାଞ୍ଚଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଞ୍ଚଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବ ନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ ।
ଆଜି ରାତ୍ର ୮ଟା ଠାରୁ ୫ ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ୍ ସମୟରେ ମେଡିକାଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ କେବଳ ସକାଳ ୭ଟା ଠାରୁ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ହାଟ ବଜାର ଅନ୍ୟାନ୍ୟ ଦୋକାନ ଗୁଡିକ ଓ ଯାନବାହନ ଚଳାଚଳ ବନ୍ଦରହିବ । ମେଡିକାଲ ଛକ ଠାରୁ ଆଇଏମଏସଟି ଛକ, ବାଲିମେଳା ଛକ ଠାରୁ କେନାଲଛକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା କରାଯାଇଛି । ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୋଲିସ କଡା କଡା କରିବା ସହିତ ରାସ୍ତାଗୁଡିକୁ ବନ୍ଦ କରିଦିଆଯାଇଛି । ଆଜି ସ୍ଥାନୀୟ ତହସିଲଦାର ଗୁଣନିଧି ନାୟକ ଓ ପୋଲିସ ପକ୍ଷରୁ ଜନ ସଚେତନତା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ପ୍ରଚାର କରାଯାଇ ଜନସଚେତନତା କରିଛନ୍ତି ।
ଏଥିରେ କେହି ଛାନିଆ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସଟ୍ ଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରି କୋରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ ୧୯ ନିୟମ ସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ