ମାଲକାନଗିରି: ଦାରିଦ୍ରତା ଯୋଗୁଁ ଆତ୍ମହତ୍ୟା କରିଥିବା ସୀତା ମାଡକାମୀଙ୍କ ପରିବାରକୁ ଭେଟିଲେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାସ୍ତବ ସ୍ଥିତି ପରଖିଛନ୍ତି ବିଧାୟକ । ଗତ 30 ତାରିଖରେ ଗୌଡଗୁଡା ପଞ୍ଚାୟତର ଗୋରେଇଗୁଡା ଗାଁର ସୀତା ମାଡକାମୀ ନିଜର ଦୁଇ ସନ୍ତାନକୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଯେଉଁ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।
ଏହି ଘଟଣାକୁ ନେଇ ବିଧାନସଭାରେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନଥିବା ବାଚସ୍ପତିଙ୍କ ନିକଟରେ ଉଲ୍ଲେଖ କରିଥିଲେ ବିଧାୟକ । ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଏହାପରେ ଗତ ୧ ତାରିଖ ଦିନ ମାଲକାନଗିରି ବିଡିଓ ଗୋରେଇଗୁଡା ଗାଁକୁ ଯାଇ ଘଟଣାର ତଦନ୍ତ କରିଥିବା ବେଳେ ୩ ତାରିଖ ଦିନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇ ଦୁଇ ଗୁରୁତର ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ଶୁକ୍ରବାର ମାଲକାନଗିରି ବିଧାୟକ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇ ଦୁଇପିଲା ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଭବିଷ୍ୟତ ଲାଗି ସରକାର ଦାୟିତ୍ଵ ନେବା ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହା ସହ ଜିଲ୍ଲା ସଦର ଚିକିତ୍ସାଳୟରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବାବେଳେ ରୋଗୀଙ୍କ ଲାଗି ଉପଯୁକ୍ତ ଶଯ୍ୟା ମଧ୍ୟ ନାହିଁ । ଏପରିକି ପାନୀୟ ଜଳ ଓ ଅନ୍ୟାନ୍ୟ ସମସ୍ୟା ଘେରରେ ରହିଥିବା ଚିକିତ୍ସାଳୟ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲଚନା କରାଯିବ ବୋଲି କହିଛନ୍ତି ବିଧାୟକ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ