ମାଲକାନଗିରି: ମହାମାରୀ କୋରୋନା ଯୋଗୁଁ ଦୀର୍ଘ ୪ମାସ ଧରି ବ୍ୟବସାୟ ଠପ ହୋଇଯାଇଛି । ଯାହାକୁ ନେଇ ମାଲକାନଗିରରେ ବ୍ୟବସାୟୀ ମାନେ କ୍ଷୁବ୍ଧ ହୋଇଛନ୍ତି ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅର୍ଥ ଅଭାବରୁ ସେମାନଙ୍କୁ ଠିକ୍ ଭାବେ ଦୁଇ ମୁଠା ଖାଇବାକୁ ମିଳୁନଥିବା ଅଭିଯୋଗ ହୋଇଛି ।
ମାଲକାନଗିରି ପ୍ରଶାସନ ତରଫରୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲିବା ନେଇ ନୋଟିସ ଜାରି କରିଛନ୍ତି । ତେବେ କେଉଁ ଦୋକାନ କେବେ ଖୋଲିବ ସେ ନେଇ ସ୍ପଷ୍ଟ କରିଛନ୍ତି । ଦୋକାନ ଗୁଡିକୁ ୩ ଟି କାଟାଗୋରୀରେ ବିଭକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନର ନୋଟିସକୁ ବ୍ୟବସାୟୀ ମାନେ ବିରୋଧ କରିଛନ୍ତି ଓ ତହସିଲ ଅଫିସକୁ ଘେରାଉ କରିଛନ୍ତି । ଆଗରୁ ଦୋକାନ ଗୁଡିକ ମୂଳରୁ ବନ୍ଦ ଥିବା ବେଳେ ଜିଲ୍ଲା ପ୍ରଶାସନର ନୂଆ ନିୟମ ଅନୁଯାୟୀ ଗୋଟିଏ ଦୋକାନ ସପ୍ତାହକୁ ମାତ୍ର ୨ଦିନ ଖୋଲି ପାରିବ ବୋଲି କହିଛି । ଯାହାକୁ ନେଇ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।
ସେପଟେ ବ୍ୟବସାୟୀଙ୍କ ମାନଙ୍କ କହିବା ଅନୁୟାରେ ଆଗରୁ ଦୋକାନ ଖୋଲା ହେଉନଥିଲା ବେଳେ ଆଜିଠୁ ସପ୍ତାହକୁ ମାତ୍ର ୨ଦିନ ଦୋକାନ ଖୋଲିଲେ ଆମେ କିପରି ଆମ ପରିବାରର ପେଟ ପୋଷିବୁ ବୋଲି କହିଛନ୍ତି । ଏହାସହ ଦୋକାନ ଭଡା, ଇଲେକ୍ଟ୍ରି ବିଲ୍, କାର୍ଯ୍ୟରତ କର୍ମଚାରୀଙ୍କ ଦରମା କିପରି ଦେବୁ ବୋଲି ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଅନୁମତି ନଦେଲେ ଦୋକାନି ମାନେ ଜୋରଜବରଦସ୍ତ ଦୋକାନ ଖୋଲିବେ ବୋଲି ତହସିଲଦାରଙ୍କୁ ଧମକ ଦେଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ