ମାଲକାନଗିରି: ଯବାନଙ୍କୁ ଟାର୍ଗେଟ କରି ଲଗାଯାଇଥିବା ମାଓବାଦୀଙ୍କ ଲ୍ୟାଣ୍ଡମାଇନକୁ ଜବତ କଲେ ଯବାନ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସନାପଦରୁ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ସକାଳେ ବିଏସଏଫ ୧୬୦ ବାଟାଲିୟନର ଯବାନମାନେ ସାଲିମି ପଞ୍ଚାୟତର ସନାପଦର ଅଞ୍ଚଳକୁ କୁମ୍ବିଂ ଅପରେସନରେ ଯାଇଥିଲେ । ତେବେ ସୁରକ୍ଷାକୁ ନଜର ରଖି ସନାପଦର ଅଞ୍ଚଳରେ ରାସ୍ତା କାମରେ ନିର୍ମାଣ ହେଉଥିବା କଲଭର୍ଟ ଗୁଡିକୁ ଯବାନମାନେ ଲ୍ୟାଣ୍ଡମାଇନ ଡିକ୍ଟେଟିଭ ମେସିନ ଦ୍ଵାରା ଯାଞ୍ଚ କରିଥିଲେ ।
ଏହାପରେ ଲ୍ୟାଣ୍ଡମାଇନ ଡିକ୍ଟେଟିଭ ମେସିନରୁ କଲଭର୍ଟ ତଳେ ଲ୍ୟାଣ୍ଡମାଇନ ଥିବା ସୂଚନା ମିଳିଥିଲା । ଏହା ଜାଣିବା ପରେ ଅତି ସତର୍କତାର ସହ ଲ୍ୟାଣ୍ଡମାଇନକୁ ଯବାନମାନେ ଜବତ କରି ବିଏସଏଫ କ୍ୟାମ୍ପକୁ ଆଣିଛନ୍ତି । ତେବେ ଲ୍ୟାଣ୍ଡମାଇନ୍ସ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି ।
ଏପଟେ ଯଦି ଏହି ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ ହୋଇଥାନ୍ତା, ତେବେ ଅନେକ ଯବାନଙ୍କ ଜୀବନ ଯାଇଥାନ୍ତା ବୋଲି ବିଏସଏଫ ୧୬୦ ବାଟାଲିୟନର ଜଣେ ଅଧିକାରୀ କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ