ମାଲକାନଗିରି: ଯୁବ ଖେଳାଳିଙ୍କ ଚିହ୍ନଟ ଲାଗି ମାଲକାନଗିରି ଜିଲ୍ଲାରେ ଶୁଭ ଉଦ୍ଘାଟନ ହୋଇଛି ଖେଲୋ ଇଣ୍ଡିଆ। 3ଦିନ ଧରି ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଚାଲିବାକୁ ଥିବା ଏହି ଖେଲୋ ଇଣ୍ଡିଆକୁ ଆଜି ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଉଦଘାଟନ କରିଛନ୍ତି। ଜିଲ୍ଲାର 7ଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଖେଳାଳି ଏହି ଖେଲୋ ଇଣ୍ଡିଆରେ ଯୋଗ ଦେଇଛନ୍ତି।
ବିଶେଷ କରି ଖେଳାଳି ତୀରନ୍ଦାଜ, ଭଲିବଲ, ଦୌଡ, ଜାଭଲିନ, କବାଡି ସହ ବିଭିନ୍ନ ଖେଳରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବେ ଏବଂ ସେଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚିହ୍ନଟ କରାଯିବ। ଜିଲ୍ଲା ସ୍ପୋର୍ଟ୍ସ ଏକାଡେମୀରେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ତାଙ୍କୁ ସମସ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ରାଜ୍ୟସ୍ତରର ଖେଳରେ ଭାଗ ନେବାର ସୁଯୋଗ ପ୍ରଦାନ କରାଯିବ।
ଏହି ଖେଲୋ ଇଣ୍ଡିଆ ଶୁଭାରମ୍ଭରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନିକୁନି ଛାତ୍ରଛାତ୍ରୀ ନିଜର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ସହ ଉପଜିଲ୍ଲାପାଳ ରାମେଶ୍ଵର ପ୍ରଧାନ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କ ସହ ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗ ଦେଇଥିଲେ । ମାଲକାନଗିରି ସୂଚନା ଓ ପ୍ରସାରଣ ଅଧିକାରୀ ଗୁଣନିଧି ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ