ମାଲକାନଗିରି: ଆଜି(ଶନିବାର) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ଜିଲ୍ଲାର ୭ଟି ବ୍ଲକ ଓ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ କୋଭିଡ଼ ଟୀକା ପ୍ରଦାନ କରାଯାଇଛି । ଏଠାରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ସ୍ଥାନୀୟ ବହୁ ଲୋକ ଟୀକା ଦିଆଯିବାର ଖବର ପାଇ ସେଠାରେ ପହଞ୍ଚି ଭିଡ଼ କରିଥିଲେ । ଫଳରେ ସାମ୍ବାଦିକଙ୍କୁ ଟୀକା ପ୍ରଦାନ କରିବାରେ ବିଳମ୍ବ ହୋଇଥିଲା । ତେବେ ଟାଉନ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ସ୍ଥିତି ସ୍ୱାଭାବିକ ହେବାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଜିଲ୍ଳାର ମୋଟ 144ଜଣ ସାମ୍ବାଦିକଙ୍କୁ ଟୀକା ଦେବାର ତାଲିକା ପ୍ରସ୍ତୁତ ହୋଇଥିବାବେଳେ ବହୁ ସାମ୍ବାଦିକ ଯେଉଁମାନଙ୍କର ବୟସ ୪୫ରୁ ୬୦ ମଧ୍ୟରେ ସେମାନେ ସମସ୍ତେ ପ୍ରାୟତଃ ଟୀକା ନେଇ ସାରିଥିବାରୁ ଆଜି ମାତ୍ର 120ଜଣ ସାମ୍ବାଦିକ ଟୀକା ନେଇଥିଲେ ।
ସାମ୍ବାଦିକଙ୍କ ଟୀକାକରଣ ଶେଷ ପରେ ସାଧାରଣ ଲୋକଙ୍କୁ ମଧ୍ୟ ଦ୍ୱିତୀୟ ଡୋଜ୍ ଟୀକା ଦିଆ ଯାଇଥିଲା ।
ପ୍ରକାଶ ଥାଉ କି, ସରକାର ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ଚୌଧୁରୀ ତତ୍ତ୍ୱାବଧାନରେ ଆଜି ସାମ୍ବାଦିକଙ୍କ ଲାଗି ଟୀକା ଦେବାର ବ୍ୟବସ୍ଥା କରାଯାଇଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ