ମାଲକାନଗିରି: ଧାନ ଅମଳ, ମହୁଲ, ଟୋଲା ଶୁଖାଇବା ପାଇଁ ନିର୍ମିତ ଗୋଷ୍ଠୀ ଖଳାଗୁଡିକ ବର୍ତ୍ତମାନ କେନ୍ଦୁପତ୍ର ବ୍ୟବସାୟୀଙ୍କ କବଜାରେ । ଜିଲ୍ଲାରେ ଗରିବ ଆଦିବାସୀ ତଥା ପଛୁଆ ବର୍ଗଙ୍କ ମୁଖ୍ୟ ରୋଜଗାର ପନ୍ଥା ଭାବେ ମହୁଲ, ଟୋଲା, ଦେଶୀ ଆମ୍ବ, ସିଆଡି ମଞ୍ଜି ଏବଂ କେନ୍ଦୁପତ୍ର ମୁଖ୍ୟ ଆୟକାରୀ ପନ୍ଥା ଭାବେ ପରିଗଣିତ ହେଉ ଥିବାବେଳେ ।
ନକ୍ସଲ ପ୍ରବଣ ତଥା ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାକୁ ସବୁଜ ସୁନା ବା କେନ୍ଦୁପତ୍ରର ଗନ୍ତାଘର କୁହାଯାଏ । ଫେବ୍ରୁଆରୀ ମଧ୍ୟରେ କେନ୍ଦୁପତ୍ର ଆଦାୟ ପାଇଁ ବିଭାଗ ତରଫରୁ ବୁସ କଟିଙ୍ଗ ଆରମ୍ଭ କରାଯାଇଥାଏ । ଏହାପରେ ମାର୍ଚ୍ଚ ମାସ ଶେଷ ଠାରୁ କେନ୍ଦୁପତ୍ର ଆଦାୟ କରାଯାଏ । ଏଥିରୁ ବିଡି ପ୍ରସ୍ତୁତ ହେଉଥିବାରୁ ରଜ୍ୟ ତଥା ରାଜ୍ୟ ବାହାରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଭଳି ରାଜ୍ୟରେ ଏହାର ଚାହିଦା ରହିଥାଏ । କେନ୍ଦୁପତ୍ର ସଂଗ୍ରହ ପାଇଁ ସରକାରୀ ଏବଂ ବେସରକାରୀ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ଫଡ଼ି ମାନ ରହିଥାଏ । କିନ୍ତୁ ଆଜିକାଲି ସରକାରୀ ବିଭାଗ ଅପେକ୍ଷା ବେସରକାରୀ ସଂସ୍ଥା ଅଧିକ କେନ୍ଦୁପତ୍ର କିଣାବିକାରେ ଆଗ୍ରହ ଦେଖାଉଛନ୍ତି । ଏମାନେ ଗ୍ରାମଅଞ୍ଚଳରୁ କେନ୍ଦୁପତ୍ର ଫଡ଼ି ନିର୍ମାଣ କରିବା ସହ ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟ କରୁଥିବା ଦେଖାଯାଏ । କେନ୍ଦୁପତ୍ର ଶୁଖାଇବା ଏବଂ ପ୍ୟାକିଙ୍ଗ ପାଇଁ କେନ୍ଦୁପତ୍ର ଶ୍ରମିକଙ୍କ ପ୍ରାପ୍ୟ ନଦେବା, ଶିଶୁଶ୍ରମିକଙ୍କୁ ନିୟୋଜିତ କରିବା ଗ୍ରାମର ସ୍କୁଲ, କ୍ଲବ, ପଞ୍ଚାୟତ ଗୋଦାମ ବିନା ଅନୁମତିରେ ବ୍ୟବହାର କରିବା ଭଳି କାର୍ଯ୍ୟ ମାନ କରିଥାନ୍ତି ।
ବର୍ତ୍ତମାନ କିନ୍ତୁ କେନ୍ଦୁପତ୍ର ବ୍ୟବସାୟୀଙ୍କ ନାମରେ ଭିନ୍ନ ଏକ ଅଭିଯୋଗ ଆସିଛି କ୍ଷୁଦ୍ରଚାଷୀ, ଗରିବ ଜନସାଧାରଣଙ୍କ ବ୍ୟବହାର ପାଇଁ କୃଷି ବିଭାଗ, ଡିଆରଡିଏ, ଆଇଟିଡିଏ, ଜଳବିଭାଯିକା ପ୍ରକଳ୍ପ ଦ୍ୱାରା ନିର୍ମିତ ଗୋଷ୍ଠୀ ଖଳାକୁ କେନ୍ଦୁପତ୍ର ବ୍ୟବସାୟୀ କବଜା କରୁଛନ୍ତି । ନିରୀହ ଗ୍ରାମବାସୀମାନେ ଏହାକୁ ବିରୋଧ କଲେ ମଧ୍ୟ ସରପଞ୍ଚ କି ଅନ୍ୟ କୌଣସି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ