ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ବିରାଟ ପ୍ରଜାମେଳି । ଏକାଠି ହେଲେ ଶହଶହ ଆଦିବାସୀ । ରାଜ୍ୟ ସରକାରଙ୍କୁ ଦେଲେ କଡା ଚେତାବନୀ । ଆନ୍ଧ୍ରରେ ମିଶିବାକୁ ଖୋଲା ଚ୍ୟାଲେଞ୍ଜ । ଜଳପଥରେ ଆସି ବିଚ୍ଛିନ୍ନାଞ୍ଚଳର ଓରାପଦରରେ ଥିବା ନକ୍ସଲ ସହିଦ ସ୍ତମ୍ବ ନିକଟରେ ମେଳି ବାନ୍ଧିଛନ୍ତି ଏମାନେ। ଚିତ୍ରକୋଣ୍ଡା ବ୍ଲକର ଅଣ୍ଡ୍ରାପାଲ୍ଲି, ଜୋଡାମ୍ବ, ଯନ୍ତ୍ରୀ, ପଣଶପୁଟ, ଗାଜଲମାମୁଡି ଓ ନାକାମାମୁଡି ପଞ୍ଚାୟତବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ପ୍ରଜାମେଳିରେ ସାମିଲ ହୋଇଛନ୍ତି । ବାଲିମେଳା ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ଯୋଗୁଁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟର କ୍ଷତିପୂରଣ ସମେତ 41 ଦଫା ଦାବି ନେଇ ଏମାନେ ଆନ୍ଦୋଳନ କରିବା ସହ ଦାବିପୂରଣ ନହେଲେ ଆନ୍ଧ୍ରରେ ମିଶିବାକୁ ଦେଇଛନ୍ତି ଚେତାବନୀ ।
ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ କରିବା ପରେ ମଧ୍ୟ ଭାଗ୍ୟ ପରିବର୍ତ୍ତନ ହେଉନଥିବାରୁ ଏମାନେ ଏପରି ଧମକ ଦେଇଛନ୍ତି । ତେବେ ଆନ୍ଧ୍ରରେ ମିଶିବା ପାଇଁ ଏଠାରେ ନିଆଁ କୁହୁଳୁଥିବାବେଳେ ଏଥିରେ ଘିଅ ଢାଳୁଛନ୍ତି ତେଲୁଗୁ ବାହିନୀ । ଆନ୍ଧ୍ରର କିଛି ସଂଗଠନ ଏଠାରେ ଆସି ଲୋକଙ୍କୁ ଡାଲି ଓ ଚାଉଳ ବାଣ୍ଟୁଥିବା ଦେଖିବାକୁ ମିଳୁଛି । ଏହା ସହ ଅନେକ ବିଭ୍ରାନ୍ତିକର ତଥ୍ୟ ଦେଇ ଏମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ।
ସମୟ ଥାଉ ଥାଉ ଏ ନିରୀହ ଆଦିବାସୀଙ୍କ ସମସ୍ୟା ଯଦି ରାଜ୍ୟ ସରକାର ସମାଧାନ ନକରନ୍ତି ତେବେ ନେଡିଗୁଡ କହୁଣିକି ବୋହିଯିବ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ