ମାଲକାନଗିରି: ତହସିଲରେ ପୁଣି ପଥର ଖଣି ଟେଣ୍ଡରକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଗନ୍ଦିପାଲୀ ସ୍ଥିତ ପଥର ଖଣିର ଟେଣ୍ଡର ନିମନ୍ତେ ଗତ ଏପ୍ରିଲ ମାସରେ ବିଜ୍ଞାପନ ବାହାରିଥିଲା । ଏଥିପାଇଁ ୪ ଜଣ ଆବେଦନ କରିଥିବା ବେଳେ ଶୁକ୍ରବାର ଟେଣ୍ଡର ବାକ୍ସ ଖୋଲିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ, ବାକ୍ସ ଖୋଲିବା ପୂର୍ବରୁ ଜଣେ ଆବେଦନକାରୀ ଟେଣ୍ଡର ପେପର ରହିଥିବା ବନ୍ଦ ଲଫାପାକୁ ନଖୋଲିବା ପାଇଁ ଲିଖିତ ଭାବେ ତହସିଲଦାରଙ୍କୁ ଦେଇଥିଲେ । ତେଣୁ, ଉକ୍ତ ଆବେଦନ ଲଫାପାଟିକୁ ଖୋଲା ଯାଇନଥିଲା ବେଳେ ବଳକା ତିନୋଟି ଲଫାପା ଖୋଲାଯାଇଥିଲା ।
ତେବେ ପ୍ରଶ୍ନ ଉଠୁଛି, ଯଦି ଆବେଦନକାରୀଙ୍କ ଆବଶ୍ୟକ ନଥିଲା ତେବେ କାହିଁକି ଆବେଦନ କରିଥିଲେ । ଯଦି ଆବେଦନ କରିଥିଲେ ତେବେ କାହିଁକି ଶେଷ ମୁହୂର୍ତ୍ତରେ ଲଫାପା ନ ଖୋଲିବାକୁ ତହିସଲଦାରଙ୍କୁ ଲିଖିତ ଭାବେ ଦେଇଥିଲେ, ଯାହା ସନ୍ଦେହକୁ ବଢ଼ାଉଛି । ଏଥିନେଇ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ପଚାରିବାରୁ ଏଭଳି ହୋଇପାରିବ ନାହିଁ ବୋଲି କହିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବେ ବୋଲି କହିଥିଲେ । କିନ୍ତୁ, ସେ କ୍ୟାମେରା ଆଗରେ କିଛି ନକହି ତାଙ୍କ ଅଧିନରେ କାର୍ଯ୍ୟରତ ଡେପୁଟି କଲେକ୍ଟରଙ୍କୁ ବାଇଟ୍ ଦବାପାଇଁ କହିଥିଲେ ।
ସୂଚନା ଯୋଗ୍ୟ, ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ୭ଟି ପଥର ଖଣିକୁ ଜଣେ ଆବେଦନଙ୍କ ହାତକୁ ଟେକି ଦେଇଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଫିକ୍ସିଂ ପଦାରେ ପଡିଥିଲା । ଜିଲ୍ଲାପାଳ ମଧ୍ୟ ବଦଳି ହୋଇଥିଲେ । ଗନ୍ଦିପାଲି ପଥର ଖଣିକୁ ଜଣେ ବ୍ୟକ୍ତି ବହୁ ବର୍ଷ ହେଲା ନିଜ ଅକ୍ତିଆରେ ରଖିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଅତିରିକ୍ତ ଜିଲ୍ଲାପାଳ ଏହି ସନ୍ଦେହ ଜନକ ପ୍ରସଙ୍ଗରେ କେଉଁଭଳି ପଦକ୍ଷେପ ନେଉଛନ୍ତି । ଏନେଇ ଆମ ପ୍ରତିନିଧି ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଛୁଟିରେ ଥିବା ଜଣାପଡିଛି ।
ଇଟଭି ଭାରତ, ମାଲକାନଗିରି