ମାଲକାନଗିରି: ସରକାର ରାଜ୍ୟରେ ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଛନ୍ତି । ପିସି ଉପରେ ରୋକ୍ ଲଗାଇବାର ନାରା ଦେଉଛନ୍ତି । ହେଲେ ଏହାକୁ ଖାତିର କରୁନାହାନ୍ତି ସରକାରୀ ବାବୁ । ଗରୀବ ହିତାଧିକାରୀଙ୍କ ଟଙ୍କା ହଡପ କରୁଛନ୍ତି ଏବଂ ଧରାପଡିଲେ ନିଲମ୍ବିତ ହେଉଛନ୍ତି । ଏହିଭଳି ସମାନ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି । ବାଲିମେଳା ବନାଞ୍ଚଳ ଅନ୍ତର୍ଗତ କୁଡୁମୁଲୁଗୁମ୍ମା କେନ୍ଦ୍ରପତ୍ର ବିଭାଗର ଫରେଷ୍ଟର ଏବଂ ରେଞ୍ଜର ଗରୀବ କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ତାଙ୍କ ହକ୍ ଟଙ୍କା ଲୁଟିବା ଅଭିଯୋଗରେ ନିଲମ୍ବିତ ହୋଇଛି । ଏହି ଘଟଣା ପରେ ଇଟିଭି ଭାରତ ପ୍ରତିନିଧି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଥିଲେ । କେମିତି ମହିଳା ଫରେଷ୍ଟର କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁକାଳୀନ ସହାୟତା ରାଶିକୁ ଜୋର ଜବରଦସ୍ତ ନେଉଥିଲେ ତାହା କ୍ୟାମେରା ଆଗରେ ବଖାଣିଥିଲେ ହିତାଧିକାରୀ ।
ପଞ୍ଜିକୃତ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାଭାବିକ କିମ୍ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ସରକାରଙ୍କ ପକ୍ଷରୁ ଦିଆଯାଏ । ଏହି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଏ । ତେବେ ଏହି ସହାୟତା ରାଶି ମିଳିବା ପରେ କୁଡୁମୁଲୁଗୁମ୍ମା କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଥିବା ପଦ୍ମିନୀ ପଟ୍ଟନାୟକ ହିତାଧିକାରୀଙ୍କଠାରୁ ଜୋର ଜବରଦସ୍ତ ୪୦ରୁ ୫୦ ହଜାର ଟଙ୍କା ନେଉଥିଲେ । ଏ ସମ୍ପର୍କରେ କାହାରି ଆଗରେ ମୁହଁ ଖୋଲିବାକୁ ମନା କରୁଥିଲେ । ଏନେଇ ଗଣମାଧ୍ୟମ ସାମ୍ନାରେ ଅର୍ଜୁନ କମାର, ବୁଦୁରି ଡୋଲୋ, ସମାରୀ ଦୋରା ଭଳି କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି ।
ମୃତ୍ୟୁକାଳୀନ ସହାୟତା ରାଶି ହଡପ ସମ୍ପର୍କରେ ଅଭିଯୋଗ ମିଳିବା ପରେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ତଦନ୍ତ କରି ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଏବଂ ରେଞ୍ଜର ଦୁର୍ଗାପ୍ରସାଦ ନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏହି ଦୁର୍ନୀତିରେ ଅନ୍ୟ କେହି ସାମିଲ ଅଛନ୍ତି ନା ନାହିଁ ସେ ବାବଦରେ ଅଧିକ ତଦନ୍ତ ପାଇଁ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ନିଲମ୍ବିତ ରେଞ୍ଜର ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ହିତାଧିକାରୀଙ୍କ ଟଙ୍କା ଆକାଉଣ୍ଟକୁ ଯାଇଛି । ଏଥିରେ ତାଙ୍କର କୌଣସି ସଂପୃକ୍ତ ନାହିଁ ।
ତେବେ ଏହି ଘଟଣାରେ କେହି ବଡ଼ ବଡ଼ିଆ ସମ୍ପୃକ୍ତ ନାହାନ୍ତି ତ ? ନିରପେକ୍ଷ ତଦନ୍ତ କରିବ ତ ବନ ବିଭାଗ ? ନା କେବଳ ତଳିଆ କର୍ମଚାରୀ ବଳି ପଡ଼ିବେ ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ।
ଇଟିଭି ଭାରତ, ମାଲକାନଗିରି