ମାଲକାନଗିରି: ଜିଲ୍ଲା ବଣ୍ଡାଘାଟିରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସହିତ ତିନି ଜଣିଆ ଟିମ ପହଞ୍ଚିଛନ୍ତି । ଡିଜିପି ଅଭୟଙ୍କର ଏହା ଦ୍ବିତୀୟ ଗସ୍ତ ।
ଗସ୍ତରେ ଡିଜିପି ବିଏସଏଫ କ୍ୟାମ୍ପରେ ମାଓ ଦମନ ନେଇ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି । ସମୀକ୍ଷା ପରେ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଜିପି ଅଭୟ । ସ୍ବାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ଯେପରି ରାସ୍ତା କାମ, ବିଦ୍ୟୁତ କାମ କି ପାନୀୟ କାର୍ଯ୍ୟର ଯେପରି ମାଓବାଦୀମାନେ ବାଧା ସୃଷ୍ଟି ନ କରନ୍ତୁ ସେଥିପାଇଁ ପୋଲିସର ଦୁଇଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।
ମାଓବାଦୀମାନଙ୍କୁ ଆତ୍ମସର୍ମପଣ କରି ପୁଣିଥରେ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ଡିଜିପି ଅଭୟ । ଭୁଲ ବାଟରେ ଯାଇଥିବା ମାଓବାଦୀମାନେ ଭଲ ରାସ୍ତାକୁ ଆସି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଡିଜିପି ।
ସମୟ 12ଟାରେ ପୋଲିସ ଡିଜିପିଙ୍କ ସହିତ ତିନି ଜଣିଆ ଟିମ ମାଲକାନଗିରିର ବଣ୍ଡାଘାଟିରେ ପହଞ୍ଚିଛନ୍ତି । ବଣ୍ଡାମହିଳାମାନେ ପାରମ୍ପରିକ ନୃତ୍ୟ ଓ ବେଶ ପୋଷକ ମାଧ୍ୟମରେ ଡିଜିପ ଓ ତାଙ୍କ ଟିମକୁ ସ୍ବାଗତ କରିଥିଲେ ।
ଗସ୍ତରେ ଡିଜିପି ବଣ୍ଡା ମହିଳାଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହା ପରେ ମହିଳାମାନଙ୍କୁ କମ୍ବଳ,ଶାଢୀ ଓ ଯୁବକଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ । ଡିଡିପି ଅଭୟ 1992 ମସିହାରେ ମାଲକାନଗିରି ବଣ୍ଡାଘାଟି ଆସିଥିଲେ । ଆଜି ଏହା ତାଙ୍କର ଦ୍ବିତୀୟ ଗସ୍ତ ।
ମାଲକାନାଗିିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ