ମାଲକାନଗିରି: ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ । ଆଜି(ଶୁକ୍ରବାର) ମାଲକାନଗିରି ଜିଲ୍ଲାର ଲାଲଗଡ କୁହାଯାଉଥିବା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତ କରିଛନ୍ତି ଡିଆଇଜି ସଫିନ ଅହମ୍ମଦ ।
ଡିଆଇଜିଙ୍କ ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରାସେତୁ ନିକଟରେ ନିର୍ମାଣ ହୋଇଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ତେବେ ଦକ୍ଷିଣ ପଶ୍ଚିମାଞ୍ଚଳ ଜୋନର ଡିଆଇଜିଙ୍କ ଏହା ହେଉଛି ଗୋରାସେତୁ ବିଏସଏଫ କ୍ୟାମ୍ପକୁ ପ୍ରଥମ ଗସ୍ତ । ଏହି ଗସ୍ତବେଳେ ଏକ ବଡଧରଣର ମାଓଦମନ ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ବିଏସଏଫ, ଏସଓଜି, ଡିଭିଏଫ, ଆଇଆରବିର ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ମିଳିତ ବୈଠକ କରାଯିବା ସହ ଏଥିରେ ମାଓବାଦୀଙ୍କୁ କିଭଳି ଭାବେ ଦମନ କରାଯିବ, ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ କିଭଳି ମାଓବାଦୀଙ୍କ କବଳରୁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି ।
ଏଥିସହ ବିକାଶର କାର୍ଯ୍ୟ ଆଗକୁ କିଭଳି ବଢିବ ସେଥିପ୍ରତି ନଜର ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡ଼ିଆଇଜି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳରେ 6ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଏବେ ସ୍ୱାଭିମାନ ଅଞ୍ଚଳର ଅଧାରୁ ଅଧିକାଂଶ ଅଞ୍ଚଳ ମାଓମୁକ୍ତ ହୋଇସାରିଛି । ଏହି ଅଞ୍ଚଳକୁ ରାସ୍ତା, ପାନୀୟଜଳ, ଡାକ୍ତରୀ ସୁବିଧା ଭଳି ରାଜ୍ୟସରକାରଙ୍କ ଅନେକ ଯୋଜନା ସ୍ୱାଭିମାନ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ପାରିଛି । ବର୍ତ୍ତମାନ ମଧ୍ୟ 2ଟି ପଞ୍ଚାୟତ ଅଣ୍ଡ୍ରାପାଲ୍ଲୀ ଓ ଯନ୍ତ୍ରୀ ମାଓକବଜାରେ ରହିଛି । ତେଣୁ ଏହି ଅଞ୍ଚଳକୁ ମଧ୍ୟ କିଭଳି ମାଓମୁକ୍ତ କରାଯିବ, ଏଠାକାର ଅଧିବାସୀ କିପରି ଶାନ୍ତିରେ ଜୀବନଯାପାନ କରିବେ ସେଇଥିପାଇଁ ଏକ ବଡ ଯୋଜନା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡ଼ିଆଇଜି । ଡିଆଇଜି ସଫିନଙ୍କ ଏହି ଗସ୍ତସମୟରେ ତାଙ୍କ ସହ ମାଲକାନଗିରି ଏସପି ଋଷିକେଶ ଖିଲାରୀ ମଧ୍ୟ ଉପସ୍ଥିତ ଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ