ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ଏହି ଜିଲ୍ଲାରେ ଭରି ରହିଛି ଅନେକ ଖଣିଜ ପଦାର୍ଥ । ଏଥିସହ ମାଲକାନଗିରି ଜିଲ୍ଲା ବଣ ଜଙ୍ଗଲ ଘେରା ମାଲକାନଗିରି ଜିଲ୍ଲା ହେଉଥିବା କାରଣରୁ ଏଠିକାର ଅଧିବାସୀମାନେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।
କେତେବେଳେ ମହୁଲ ତୋଳନ୍ତି ତ ଆଉ କେତେବେଳେ କେନ୍ଦୁପତ୍ର ତୋଳି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ତେବେ ବର୍ତ୍ତମାନ ଜିଲ୍ଲାରେ ଗାଁ ଗାଁରେ କେନ୍ଦୁ ପତ୍ର ସଂଗ୍ରହ ପାଇଁ ଲାଗି ପଡିଛନ୍ତି ସମସ୍ତେ। ତେବେ ଏହି ସମୟରେ ରାଜ୍ୟ ସରକାର ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ସମୟ ପରିବର୍ତ୍ତନ ମଧ୍ୟ କରିଛନ୍ତି ।
ତେବେ ଯାହାର ଫାଇଦା ନେଉଛନ୍ତି କେନ୍ଦୁ ପତ୍ର ଦଲାଲ । ଯାହା ଫଳରେ ଏହି ପ୍ରଚଣ୍ଡ ଖରାରେ କିଛି ଅର୍ଥର ପ୍ରଲୋଭନ ଦେଖାଇ ଶିଶୁଙ୍କୁ ଶ୍ରମିକ ଭାବେ କାମ କରାଉଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ରେ ଜୟପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ମାଲକାନଗିରି, କାଲିମେଳା ,ଏମ୍ ଭି-୭୯ ଓ ମାଥିଲି କେନ୍ଦୁପତ୍ର ରେଞ୍ଜରେ ଚାଲିଛି କେନ୍ଦୁପତ୍ର ସଂଗ୍ରହ । କେନ୍ଦୁପତ୍ର ତୋଳିବା, ଫଡିରେ ପତ୍ର ଓଲଟାଇ ଶୁଖାଇବା କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳିଛି ।
ଏହି କେନ୍ଦୁପତ୍ର ଫଡ଼ିରେ ଛୋଟ ଶିଶୁଙ୍କ କାର୍ଯ୍ୟ ଅଧିକ ଦେଖିବାକୁ ମିଳିଛି । ତେବେ ଏହି ଶିଶୁଙ୍କୁ କିଛି ଅର୍ଥ ପ୍ରଲୋଭନ ଦେଖାଇ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ପ୍ରତି ବର୍ଷ ଶିଶୁ ଶ୍ରମିକ ନିୟୋଜିତ କରାଯାଉଛି । ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତର ଡଡିଗୁଡା ଓ ଖଇରପୁଟ ବ୍ଲକ ସଦର କୁମ୍ଭାର ପୁଟୁ ଠାରେ ଦଲାଲ୍ ମାନେ କେନ୍ଦୁପତ୍ର କାମରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ଏଠାରେ ଶିଶୁ ମାନଙ୍କୁ କାମରେ ଲଗାଇଥିବା କେନ୍ଦୁପତ୍ର କିଣୁଥିବା କମ୍ପାନୀର ମେଟ୍ ମାନେ ନିଜେ ସ୍ବୀକାର କରିଛନ୍ତି ।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ପିକ୍କଅପ ଭ୍ୟାନରେ ବସି କେନ୍ଦୁପତ୍ର ଫଡି ନିକଟକୁ ଯାଇଥିଲେ । ସେଠାରେ ଭ୍ୟାନରୁ ପତ୍ର
ଅନଲୋଡ କରିସାରି ସମସ୍ତେ ଘରକୁ ଫେରୁଥିଲେ । ଆସିବା ବାଟରେ ତଥା ବଦଲିଗୁଡା ଗାଁ ନିକଟରେ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଅନ୍ୟ ତିନି ଜଣ ଆହତ ହୋଇଥିଲେ । ମୃତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶିବଜିତ ବୈଦ(୧୭) ଶିଶୁ ଶ୍ରମିକ ବୋଲି ଜଣାପଡିଛି । ତିନି ଆହତ ମାନଙ୍କ ମଧ୍ୟରୁ ଦୁଇ ଜଣ ଅନିମେଶ ସରକାର (୧୪) ଓ ଅନୁପ ମିସ୍ତ୍ରୀ (୧୬) ଶିଶୁ ଶ୍ରମିକ ବୋଲି ଜଣାପଡିଛି । ଏବଂ ଅଳ୍ପକେ ବର୍ତ୍ତି ଯାଇଥିବା ରାଜିବ ମଣ୍ଡଳ (୧୪) ମଧ୍ୟ ଶିଶୁ ଶ୍ରମିକ ବୋଲି ସୂଚନା ମିଳିଛି । ତେବେ ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଶ୍ରମ ବିଭାଗ, ଶିଶୁ ସୁରକ୍ଷା ଅଧିକାରୀ କୁମ୍ଭ କର୍ଣ୍ଣ ନିଦ୍ରାରେ ନ ଶୋଇ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ