ମାଲକାନଗିରି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କର ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ । ଆଜି ସେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବାଲିମେଳା ମିନି ଷ୍ଟାଡିଅମ ଠାରେ ପହଞ୍ଚିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ଏକଲବ୍ୟ ଆଦର୍ଶ ଘରୋଇ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର,ବଣ୍ଡାଘାଟି ଏବଂ ସ୍ୱାଭିମାନ ଅଞ୍ଚଳରୁ ବିଜେଡି ଓ କଂଗ୍ରେସ ଦଳର 520 ଜଣ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ସକ୍ରିୟ କରିବା ନେଇ କେନ୍ଦ୍ରମନ୍ତ୍ରୀ ଟୁଡୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ଯୋଜନା ଉପାନ୍ତ ଅଞ୍ଚଳରେ ପହଞ୍ଚୁନଥିବା ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଗସ୍ତ ସମୟରେ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମୟୂରଭଞ୍ଜର ରାଜା ଅରୁଣ ଭଞ୍ଜଦେଓ, ରାଜ୍ୟ ବିଜେପି ମୁଖପାତ୍ର ସୁକଲାଲ ଜି, ପର୍ଶୁରାମ ମାଝୀଙ୍କ ସହ ମାଲକାନଗିରି ଜିଲ୍ଲା ବିଜେପିର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ସୁରକ୍ଷା ଦୃଷ୍ଟିରୁ ବିଏସଏଫ ସହ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ମୁତୟନ ହୋଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ