ମାଲକାନଗିରି: ହେଲେମେଟ ଚେକିଂ ସମୟରେ ଯୁବକଙ୍କୁ ଲାଠିମାଡ଼ । ପୋଲିସର ଲାଠି ମାଡ଼ରେ ଯୁବକ ଆହତ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଏମ୍ଭି-୨୦ରେ । ସୂଚନା ଅନୁଯାୟୀ କାଲିମେଳା ଥାନା ପୋଲିସ ଗତ ସୋମବାର ଦିନ କାଲିମେଳା ପ୍ରବେଶ ପଥରେ ଗାଡ଼ି ଯାଞ୍ଚ ଓ ବାଇକ୍ ଚାଳକଙ୍କ ହେଲମେଟ ଚେକିଂ କରୁଥିଲେ । ଏହି ସମୟରେ ମୋହନ ଗାଇନ ନାମକ ଯୁବକ ଏମ୍ଭି ୨୦ ଗ୍ରାମରୁ ନିଜ ଗ୍ରାମ ଏମ୍ଭି ୮୦କୁ ଫେରୁଥିଲେ । ଫେରିବା ସମୟରେ କାଲିମେଳା ପୋଲିସ ପକ୍ଷରୁ ହାଟପଦା ନିକଟରେ ଯାନବାହାନ ଯାଞ୍ଚ ସମୟରେ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ପୋଲିସ । କିନ୍ତୁ ଯୁବକଙ୍କ ଗାଡ଼ିର ବେଗ ଅଧିକ ଥିବାରୁ ଯୁବକ ଜଣକ ଆଗକୁ ଯାଇ ଗାଡ଼ି ରଖିବାକୁ ଚେଷ୍ଟା କରୁଥିବା ସମୟରେ ଯାଞ୍ଚ ପୋଷ୍ଟରେ ଡ୍ୟୁଟିରତ କିଛି ପୋଲିସ କର୍ମଚାରୀ ଉକ୍ତ ଯୁବକଙ୍କୁ ପଛପଟରୁ ଲାଠିରେ ପାହାର କରିଥିଲେ ।
ଅଧିକ ପଢ଼ନ୍ତୁ: କୁଜଙ୍ଗ ବିଡିଓ ରାସ୍ତା ଉପରେ ଯୁବକଙ୍କୁ ମାଡ଼ ମାରିବା ଘଟଣା, ଇସ୍ତଫା ଦାବିରେ ବିଜେପିର ପ୍ରତିବାଦ
ମୁଣ୍ଡରେ ଆଘାତ ପାଇ ସେହି ସ୍ଥାନରେହିଁ ପଡ଼ିଯାଇ ଅଚେତ ହୋଇଥିଲେ ଯୁବକ ଜଣକ । ନିଜର ହୋସ ଫେରିଲା ବେଳକୁ ଯୁବକ ଜଣକ ନିଜକୁ ମାଲକାନଗିରି ମେଡିକାଲରେ ପାଇଥିଲେ। ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସ୍ଥାନିୟ ଲୋକ ଏବଂ କିଛି ପୋଲିସ କର୍ମଚାରୀଙ୍କ ସହାୟତାରେ ପ୍ରଥମେ କାଲିମେଳା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିଇଥିଲା । ପରେ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ କାଲିମେଳା ଚିକିତ୍ସାଳୟର ଡାକ୍ତର ।
ପୋଲିସର ଏପରି ଅମାନବୀୟ କାର୍ଯ୍ୟକୁ ନେଇ ସଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ଏଭଳି କାଣ୍ଡ ଘଟାଇ ଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ବର୍ଗ ଦାବି କରିଛନ୍ତି । ରାଜ୍ୟ ସରକାର 5Tର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଉପରେ ମଧ୍ୟ ପୋଲିସ କର୍ମଚାରୀଙ୍କ ଏପରି କାର୍ଯ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । ବର୍ତ୍ତମାନ ସୁଧା ଆହତ ମୋହନଙ୍କ ଆପାଚି ମଟର ସାଇକେଲଟି କାଲିମେଳା ଥାନାରେ ଅଛି । ଏଠି ସୂଚନା ଥାଉକି ଜିଲ୍ଲାରେ ପ୍ରତ୍ୟେକ ମଙ୍ଗଳବାର ଦିନ ଏମଭି ଚେକିଂ ପାଇଁ ମାଲକାନଗିରି ଏସପି ସମସ୍ତ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ମାଲକାନଗିର