ମାଲକାନଗିରି: ଜିଲ୍ଲା ଯୋଜନା କମିଟିର ଏକ ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
ନବରଙ୍ଗପୁର ସାଂସଦ ରମେଶ ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି ଓ ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମୀଙ୍କ ସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ । ଆଗାମୀ ତିନି ମାସ ମଧ୍ୟରେ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି 3 କୋଟି 8 ଲକ୍ଷ ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି । ଯାହା ମଧ୍ୟରେ ପାନୀୟ ଜଳ, ଜଳସେଚନ ଓ ଗମନାଗମନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ