ମାଲକାନଗିରି: ଜିଲ୍ଲାରେ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ(14th Tribal Youth Exchange Program ) ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି । ସୀମା ସୁରକ୍ଷା ବଳ ଏବଂ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମାଲକାନଗିରି ବିଏସଏଫ୍ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ଫ୍ଲାଗ ଦେଖାଇ ଏହି କାର୍ଯ୍ୟକ୍ରମର ଗତକାଲି(ଗୁରୁବାର) ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ମାଲକାନଗିରି ଜିଲ୍ଲାର ୭୦ ଜଣ ଆଦିବାସୀ ଯୁବକ ଯୁବତୀ ୭ ଦିନ ପାଇଁ ଗୁଜୁରାଟର ଅହମ୍ମଦାବାଦକୁ ଯାତ୍ରା କରିବେ । ଏହି ଗ୍ରୁପରେ ୩୨ ଜଣ ଯୁବକ ଏବଂ ୩୮ ଜଣ ଆଦିବାସୀ ଯୁବତୀ ସାମିଲ ହୋଇଛନ୍ତି ।
ଏହି ସମୟରେ ସେମାନଙ୍କୁ କ୍ୟାରିୟର ମାର୍ଗଦର୍ଶନ ଏବଂ ପରାମର୍ଶ ଦିଆଯିବ । ଦେଶର ସାମାଜିକ ତଥା ସାଂସ୍କୃତିକ ନୈତିକତାକୁ ଭଲ ଭାବରେ ବୁଝିବା ପାଇଁ ସେମାନେ ବଡ଼ କ୍ରୀଡା ଇଭେଣ୍ଟ, ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରତିଷ୍ଠାନ, ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବେ । ସେମାନଙ୍କର ଜ୍ଞାନକୌଶଳକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯାହାକି ଆଗାମୀ ଦିନରେ ସେମାନଙ୍କୁ ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଢିବା ଦିଗରେ ସହାୟକ ହେବ ।