କୋରାପୁଟ: ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା। ଅନେକ ସମୟରେ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସୁଥିଲେ ମଧ୍ୟ ସେ ରାସ୍ତା ନଥିବା ଯୋଗୁଁ କିମ୍ବା ଭରା ନଦୀ ଯୋଗୁଁ ଅଧାବାଟରେ ଅଟକି ରହୁଛି । ଆଉ ଶେଷରେ ଉପାୟଶୂନ୍ୟ ହୋଇ ଗର୍ଭବତୀଙ୍କୁ ଭରାରେ ଆମ୍ବୁଲାନ୍ସ ଯାଏଁ ନିଆଯାଉଥିବା ବେଳେ ଅଧାବାଟରେ ହିଁ ପ୍ରସବ ହେଉଥିବା ଘଟଣା ଅନେକ ନଜିର ରହିଛି । ସେମିତି ଏକ ଦୃଶ୍ୟ କୋରାପୁଟ ଜିଲ୍ଲାରୁ ମଧ୍ୟ ଆସିଛି ।
ଯେଉଁଠି ସୁଲେଖା ମୁଦୁଲି ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ଠିଆ ହୋଇଥିଲେ ହେଁ ଅଧ କିଲୋମିଟର ଦୂର ଭାରରେ ବୁହା ହୋଇ ଆସିବା ପରେ ସୁଲେଖା ରାସ୍ତା କଡରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ଦସମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତର କିରାଆମ୍ବ ଗାଁକୁ ଯିବାକୁ ହେଲେ ମୁଖ୍ୟରାସ୍ତା ପରେ ଏକ ନାଳ ପାର ହୋଇ ଯିବାକୁ ହୁଏ । ଆମ୍ବୁଲାନ୍ସ ସୁଲେଖାଙ୍କୁ ହସ୍ପିଟାଲକୁ ନେବା ପାଇଁ ଆସିଥିଲେ ହେଁ, ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା । ତେବେ ପରେ ମା' ଓ ନବଜାତ ଶିଶୁଙ୍କୁ ହସ୍ପିଟାଲ ପହଞ୍ଚାଯାଇ ଚିକିତ୍ସା ପ୍ରଦାନ କରାଯାଇଛି ।
ଏବେ ଉଭୟ ସୁସ୍ଥ ଥିବା ଜଣାପଡିଛି । ଦସମନ୍ତପୁର ବ୍ଲକର ଅନେକ ଗାଁକୁ ସଡକ ସଂଯୋଗ ହୋଇପାରି ନଥିବା ଯୋଗୁଁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥାଇ ମଧ୍ୟ ଲୋକଙ୍କ ସେବାରେ ଲାଗିପାରୁ ନଥିବା ନେଇ ସାଧାରଣରେ କ୍ଷୋଭପ୍ରକାଶ ପାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ