କୋରାପୁଟ: କୋଟିଆରେ ଭଲିବଲ ଟୁର୍ଣ୍ଣାମେଣ୍ଟ । ଓଡିଶା ପ୍ରତି କୋଟିଆର ଯୁବକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଗତକାଲି କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ଯୁବକ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ବେଳେ ମୋଟ ୧୬ଟି ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।
ଏହି ପ୍ରତିଯୋଗିତାରେ ଉପର ଗଞ୍ଜେଇପଦର ଦଳ ବିଜେତା ହୋଇଥିବା ବେଳେ କୋଟିଆ ଦଳ ଉପ ବିଜେତା ହୋଇଥିଲା । ସକାଳୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶେଷ ହୋଇଥିଲା । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେତା ଟିମକୁ ପୁରସ୍କୃତ କରାଯିବା ନେଇ ଯୋଜନା କରାଯାଇଛି ।
''ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏଥି ପାଇଁ ବର୍ଷକ ତଳେ ଯୁବ ଗୋଷ୍ଠୀଙ୍କୁ ଭଲିବଲ, ନେଟ ଆଦି ପ୍ରଦାନ କରାଯାଇଥିବା ବେଳେ ଗତକାଲି ପୁଣି ଥରେ କୋରାପୁଟ ଆଇଟିଡିଏ ତରଫରୁ ପ୍ରତିଟି ଗାଁରେ ଥିବା ଭଲିବଲ ଦଳକୁ ଟି ସାର୍ଟ, ଭଲିବଲ, ନେଟ ପ୍ରଭୃତି ଖେଳ ସରଞ୍ଜାମ ପ୍ରଦାନ କରାଯାଇଥିଲା । ଭଲିବଲ ଖେଳିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପକରଣ ପାଇବା ପରେ କୋଟିଆ ପଞ୍ଚାୟତର ସମସ୍ତ ୨୧ ଟି ଗ୍ରାମବାସୀ ଖୁସି ହୋଇଥିବା ପ୍ରକଳ୍ପ ସଂଯୋଜକ କାଶୀ ପ୍ରସାଦ ନାୟକ ଜଣାଇଛନ୍ତି ।''
''କୋଟିଆରେ ଆୟୋଜିତ ଭଲିବଲ ପ୍ରତିଯୋଗିତା ପଞ୍ଚାୟତର ଯୁବ ଗୋଷ୍ଠୀକୁ ଏକାଠି କରାଇବା ସହ ଓଡିଶା ସରକାରଙ୍କ କୋଟିଆ ବାସୀଙ୍କ ପ୍ରତି ଥିବା ଦାୟିତ୍ୱ ବୋଧକୁ ଉପସ୍ଥାପନ କରିପାରିଥିବା ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନରଞ୍ଜନ ମତ ରଖିଛନ୍ତି ।'' ଖେଳ ସରିବା ପରେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଟିମକୁ ନୂଆ ଭଲିବଲ ଓ ନେଟ ଦିଆଯାଇଥିଲା । ଓଡିଶା ଓ ଆନ୍ଧ୍ର ସୀମାରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା ।
କୋଟିଆ ଓଡ଼ିଶାର ଓ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ । ଓଡିଶା ସୀମା ମଧ୍ୟକୁ ବାରମ୍ବାର ଅନୁପ୍ରବେଶ କରିଥିବା ଆନ୍ଧ୍ର ସରକାରଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ବାସିନ୍ଦା ଅନେକ ବାର ଅନେକ ଭାବରେ ଏହି କଥାକୁ ବୁଝାଇବାକୁ ପ୍ରଚେଷ୍ଟା କରିଛନ୍ତି । ଶୁକ୍ରବାର ଏହି ବାର୍ତ୍ତା ପହଞ୍ଚାଇବା ପାଇଁ କୋଟିଆ ପଞ୍ଚାୟତକୁ ବିଭିନ୍ନ ଗ୍ରାମର ଶହ ଶହ ଯୁବକ ଆସି ଭଲିବଲ ପ୍ରତିଯୋଗିତାରେ ଭାଗ ନେଇ ଓଡିଶା ସପକ୍ଷରେ କୋଟିଆ ବାସୀଙ୍କ ପ୍ରତିବଦ୍ଧତା ମାଧ୍ୟମରେ ପ୍ରତିପାଦନ କରିଥିଲେ ।
ଇଟିଭି ଭାରତ, କୋରାପୁଟ