କୋରାପୁଟ: ଖରା ଦିନ ଆରମ୍ଭରୁ ଆରମ୍ଭ ହୋଇଗଲାଣି ପାଣି ସମସ୍ୟା । ବସୁଧା ଯୋଜନାରେ ମଟର ପମ୍ପ ଓ ପାଣି ଟାଙ୍କି ବସାଇ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ବିଛାଇଦିଆଗଲା । ଜଳ ସଂଗ୍ରହ କରିବା ପାଇଁ ମଧ୍ୟ ସମସ୍ତ ସୁବିଧା କରିଦିଆଯାଇ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଗଲା । କିନ୍ତୁ ସପ୍ତାହେ କାଳ ଜଳ ପାଇବା ପରେ ଆଉ ପାଣି ନ ଆସିବା ଯୋଗୁଁ ବର୍ଷେ ହେଲା ଜଳକଷ୍ଟ ଭୋଗୁଛନ୍ତି କୋରାପୁଟ ବ୍ଲକର ମହାଦେଈପୁଟ ଗ୍ରାମବାସୀ ।
ମହାଦେଈପୁଟ ଓ ଏକଡେଲି ମଧ୍ୟରେ ଏକ ଛୋଟ କେନାଲ ନିକଟରେ ସଂଯୋଗ ହେବାର ମାତ୍ର କିଛିଦିନ ପରେ ପାଇପ କେହି ଚୋରି କରି ନେଇଯାଇଥିବା ଯୋଗୁଁ 45ରୁ ଊର୍ଦ୍ଧ୍ଵ ପରିବାର ବସବାସ କରୁଥିବା ଏକଡେଲିକୁ ଜଳଯୋଗାଣ ବନ୍ଦ ହୋଇଯାଇଥିଲା ।
ବର୍ତମାନ ସମଗ୍ର ଗାଁରେ ଦୁଇଟି ନଳକୂଅ ଥିଲା ବେଳେ ତନ୍ମଧ୍ୟରୁ ଗୋଟିଏ ବିଦ୍ୟାଳୟ ପରିସରରେ ଥିବା ଯୋଗୁଁ ବିଦ୍ୟାଳୟ ଚାଲୁଥିବା ସମୟରେ ଗ୍ରାମବାସୀଙ୍କ ବ୍ୟବାହାରରେ ଲାଗିପାରୁନଥିବା ଜଣାଇଛନ୍ତି । ତେଣୁ ଗୋଟିଏ ନଳକୁପରୁ ସାରା ଗାଁର ଜଳ ଆବଶ୍ୟକତା ପୂରଣ ହୋଇ ପାରୁନଥିବାରୁ ପାଇପ ଯୋଗେ ଜଳ ଯୋଗାଣର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ