କୋରାପୁଟ: କୋଟିଆରେ 144 ଧାରା ଜାରି ସତ୍ତ୍ବେ ଆନ୍ଧ୍ରପ୍ରଦେଶର ଦାଦାଗିରି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନ ଜବରଦସ୍ତି କରାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ସମେତ ସବୁ ଦଳର ନେତା ଏବଂ ଆନ୍ଧ୍ର ପୋଲିସ ମଧ୍ୟରେ କଥା କଟାକଟି ହୋଇଛି । ଖାଲି ତାରାପ୍ରସାଦ ବାହିନୀପତି ନୁହନ୍ତି ବିଜେଡି ନେତା ତଥା ଜୟପୁରର ପୂର୍ବତନ ପୋରାଧ୍ୟକ୍ଷ ମୁନା ରଥ ମଧ୍ୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି।
କୋଟିଆ ପଞ୍ଚାୟତ ନିର୍ବାଚନ ନକରିବା ନେଇ ପ୍ରଥମେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ବୃହତ ଖଣ୍ଡପୀଠ ଅନୁମତି ଦେବା ପରେ ପୁଣି ଆନ୍ଧ୍ର ଓଡ଼ିଶା ସୀମା ବିବାଦ ଦେଖାଦେଇଛି । କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ସାମିଲ କରି ଜିଲ୍ଲା ପରିଷଦ ନିର୍ବାଚନ କରାଉଛି ଆନ୍ଧ୍ର ପ୍ରଦେଶ। ଏହାକୁ ବିରୋଧ କରି ଆଜି(ଗୁରୁବାର) ନେରେଡିବାଲାସାରେ ଆନ୍ଧପ୍ରଦେଶର ପୋଲିସ ଅଧିକାରୀଙ୍କ ସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ମୁନା ରଥଙ୍କ କଥା କଟାକଟି ହୋଇଛି।
ସେପଟେ କୋଟିଆରେ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ଆନ୍ଧ୍ର ପୋଲିସ ଓଡ଼ିଶାର ନେତୃବୃନ୍ଦଙ୍କୁ ଦାୟୀ କରିଛି। କଥା କଟାକଟି ମଧ୍ୟରେ କୋଟିଆ ପଞ୍ଚାୟତର ଭୋଟର ନେରେଡିବାଲାସାରେ ଥିବା ପୋଲିଂ ବୁଥ ଆଡ଼କୁ ଅଗ୍ରସର ହେଉଥିବା ଦେଖାଦେଇଛି। ଏଥିରେ ଆନ୍ଧ୍ର ପୋଲିସ ସହଯୋଗ କରୁଥିବା ଦେଖାଯାଇଛି । କିଛି ସ୍ଥାନରେ ମହିଳା ଭୋଟରମାନେ ଓଡ଼ିଶା ପୋଲିସ ସହ ଧସ୍ତାଧସ୍ତି ହୋଇ ପୋଲିଂ ବୁଥ ଆଡ଼କୁ ଯାଇଛନ୍ତି । ଏହା ରାଜ୍ୟର ଚିନ୍ତା ବଢ଼ାଇଦେଇଛି ।
କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆ ଅଞ୍ଚଳରେ ଗତକାଲି(ବୁଧବାର) ସନ୍ଧ୍ୟାରୁ ଆସନ୍ତାକାଲି (ଶନିବାର) ସନ୍ଧ୍ୟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି। ଲୋକଙ୍କୁ ଘରୁ ବାହାରିବା ଉପରେ ଶକ୍ତ କଟକଣା ଜାରି ହୋଇଥିଲା। ତେବେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନି ।
ଓଡ଼ିଶାର ରାଜନୈତିକ ଦଳର ନେତୃବୃନ୍ଦ ତଥା ପ୍ରସାଶନିକ ଅଧିକାରୀ ଆନ୍ଧ୍ର ସରକାରଙ୍କ ନିୟମ ବର୍ହିଭୂତ କାର୍ଯ୍ୟକୁ ବିରୋଧ କରିଛନ୍ତି। ଓଡ଼ିଶା ମାଟିରେ ଆନ୍ଧ୍ର ସରକାରଙ୍କ ଦାଦାଗିରି ଚଳିବ ନାହିଁ ବୋଲି କହିଛନ୍ତି ଓଡ଼ିଶା ନେତୃବୃନ୍ଦ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ