କୋରାପୁଟ: ଦିନେ ଆନ୍ତର୍ଜାତିକ କ୍ରିକେଟରେ ଭଲ ଖେଳ ପ୍ରଦର୍ଶନ କରି କୋରାପୁଟ ତଥା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ପାଲଟିଥିବା ସୁଖରାମ ମାଝୀ ଆଜି ଆର୍ଥିକ ଅନଟନର ଶିକାର ହେଉଛନ୍ତି । ଦୃଷ୍ଟିହୀନ ହେଲେ ବି କ୍ରିକେଟ ପ୍ରତି ଥିବା ମୋହ ତାଙ୍କୁ ଗ୍ରାଉଣ୍ଡ ମଧ୍ୟକୁ ଟାଣି ନେଇଥିଲା । ଆଉ ତାଙ୍କର ଏହି ଖେଳ ପ୍ରତି ଥିବା ଭଲପାଇବା ତାଙ୍କୁ ଆନ୍ତର୍ଜାତିକ କ୍ରିକେଟର ଭାବେ ଗଢି ତୋଳିଥିଲା । କୋରାପୁଟ ଶୁକ୍ରିଗୁଡ଼ାର ଏହି ଦୃଷ୍ଟିହୀନ କ୍ରିକେଟର କାହିଁ କେତେ ଆନ୍ତର୍ଜାତିକ ମ୍ୟାଚ ଖେଳି ଅନେକ ଟ୍ରଫି ଜିଣିଛନ୍ତି । ହେଲେ ଏବେ କୌଣସି ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁନାହିଁ । ଯାହା ଲାଗି ଦୃଷ୍ଟିବାଧିତ ମାଆଙ୍କ ସହ ନିଜ ଖର୍ଚ୍ଚ ବହନ କରିବା ପାଇଁ ଏବେ ଅନ୍ୟର ବିଲରେ କାମ କରିବାକୁ ବାଧ୍ୟ ହେଉଛନ୍ତି।
ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ କ୍ରିକେଟ ଖେଳୁଥିବା ସମୟରେ କିଛି କିଛି ସହଯୋଗ ମିଳୁଥିବା ଦେଖି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ଫଳରେ ଆଜି କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ସୁଖରାମ । କିନ୍ତୁ କିଛି ବେସରକାରୀ ସଂସ୍ଥାରୁ ପାଉଥିବା ଟିକିକ ସହଯୋଗ ବନ୍ଦ ହେବା ଫଳରେ ନିଜ ଖର୍ଚ୍ଚ ସହିତ କୋରାପୁଟ ନିକଟରେ ଶୁକ୍ରିଗୁଡ଼ା ଗ୍ରାମରେ ନିଜ କୁଡ଼ିଆରେ ରହୁଥିବା ଦୃଷ୍ଟିବାଧିତ ମାଆଙ୍କ ଖର୍ଚ୍ଚ ବହନ କରିବା ପାଇଁ ଛୁଟି ହେଲେ ଗାଁକୁ ଆସିଯାଆନ୍ତି । ଏବଂ ଅନ୍ୟର ବିଲରେ କାମ କରିବା ଭଳି କାର୍ଯ୍ୟ କରି ମାଆଙ୍କ ସହିତ ଦୁଇ ପଇସା ଅର୍ଜନ କରିବା ପାଇଁ ବାଧ୍ୟ ହୋଇଥାନ୍ତି ।
ଅନ୍ୟପଟେ ଦୁଇବର୍ଷ ପୂର୍ବେ ଭାରତୀୟ କ୍ରିକେଟ ଦଳ ଏକ ଆନ୍ତର୍ଜାତୀୟ ମ୍ୟାଚରେ ବିଜୟୀ ହେବା ପରେ ଓଡ଼ିଶା ସରକାର ସେହି ଦଳରେ ଓଡ଼ିଶାରୁ ଖେଳୁଥିବା ଦୃଷ୍ଟିହୀନ କ୍ରିକେଟ୍ ଖେଳାଳିଙ୍କୁ ପ୍ରତ୍ୟେକେ 27,500 ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ । କିନ୍ତୁ ତାହା ସୁଖରାମଙ୍କ ଭଳି ଖେଳାଳିଙ୍କୁ ଏ ପର୍ଯ୍ୟନ୍ତ ମିଳିନଥିବା ଏହି ଦଳର ତାଲିମଦାତା ଚନ୍ଦ୍ରଶେଖର ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ତେବେ ସାଧାରଣ କ୍ରିକେଟ୍ ଖେଳାଳିଙ୍କ ଭଳି ଦୃଷ୍ଟିବାଧିତ ଖେଳାଳିଙ୍କୁ ମଧ୍ୟ ମାସିକ କିଛି ଅନୁଦାନ ମିଳିଥିଲେ ସେମାନେ ମଧ୍ୟ ଉପକୃତ ହୁଅନ୍ତେ ବୋଲି ସୁଖରାମ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ